Advertisement

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ କୋର୍ଟଚାଲାଣ

ପାଟଣା,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଏକ ବିଦ୍ୟାଳୟରେ ଗତ ବୁଧବାର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବାନେଇ ଛାତ୍ରୀଙ୍କ ବାପା ଗୁରୁବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ଅମିତାଭ ଦାଶ କେସ୍‌ ନଂ. ୮୯/୧୯ରେ ଏକ ମାମଲା ରୁଜୁ କରିଥିଲେ। ଶୁକ୍ରବାର ଅଭିଯୁକ୍ତ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତଙ୍କୁ ଗିରଫକରି ପୋଲିସ କୋର୍ଟଚାଲାଣ କରିଛି।
ପ୍ରକାଶ ଯେ, ଘଟଣା ବିଷୟରେ ଜଣାପଡ଼ିବା ପରେ ଗୁରୁବାର ଅଭିଭାବକମାନେ ବିଦ୍ୟାଳୟରେ ପଶି ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖିଥିଲେ। ତୁରୁମୁଙ୍ଗା ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗୁରୁବାର ସନ୍ଧ୍ୟାରେ ଉଦ୍ଧାରକରି ଥାନାକୁ ନେଇ ପଚରଉଚରା କରିଥିଲା। ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗିରହିଥିଲା। ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ସମ୍ପୃକ୍ତ ଶିକ୍ଷକ ବିଦ୍ୟାଳୟର ୩/୪ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଘଟଣା ପଦାକୁ ଆସିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share