Categories: ଜାତୀୟ

ତେଜସ୍ବୀଙ୍କଠାରୁ ଅଲଗା ହୋଇନାହାଁନ୍ତି ତେଜପ୍ରତାପ

ପାଟନା,୬।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ଓ ତେଜସ୍ବୀ ଯାଦବଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ପ୍ରଥମେ ବଡ ଭାଇ ତେଜ ପ୍ରତାପ କିଛିଦିନ ଘରୁ ପଳାଇ ଯାଇ ବାହାରେ ରହୁଥିବା ବେଳେ ନିକଟରେ ସାନ ଭାଇ ତେଜସ୍ବୀ ଯାଦବ ମଧ୍ୟ ଘରୁ କିଛିଦିନ ପାଇଁ ବାହାରକୁ ଚାଲି ଯାଇଥିଲେ। ହେଲେ ସେ କାହିଁକି ଓ କେଉଁଠିକି ଯାଇଥିଲେ ତାହା କାହାରିକୁ ଜଣା ନ ଥିଲା। ତେଣୁ ରାଜନୈତିକ ମହଲରେ ଆଲୋଚନା ହେଉଥିଲା କି ବୋଧହୁଏ ଦୁଇ ଭାଇଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ହେଲେ ଏବେ ବଡ ଭାଇ ତେଜପ୍ରତାପ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି କୃଷ୍ଣ-ଅର୍ଜୁନଙ୍କ ଯୋଡିକୁ ନେଇ ସୋସିଆଲ ମିଡିଆରେ ନାନା କଥା ଆଲୋଚନା ହେଉଛି। କଥା ଉଠିଛି କି ଦୁହିଁଙ୍କ ଭିତରେ ଫାଟ ସୃଷ୍ଟି ହୋଇଛି ତେଣୁ ତେଜ ପ୍ରତାପ ଓ ତେଜସ୍ବୀ ଅଲଗା ହୋଇଯାଇଛନ୍ତି। ହେଲେ କୃଷ୍ଣ-ଅର୍ଜୁନଙ୍କ ମଧ୍ୟରେ ଯିଏ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରିବ ତାଙ୍କ ଉପରେ ସୁଦର୍ଶନ ଚକ୍ର ଚାଲିବ ବୋଲି ତେଜ ପ୍ରତାପ କହିଛନ୍ତି। ଅର୍ଥାତ୍‌ ଦୁଇ ଭାଇଙ୍କ ମଧ୍ୟରେ କୌଣସି ଫାଟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share