ତେଜିଲା ମଦ ବିରୋଧୀ ଆନ୍ଦୋଳନ: ମଦଦୋକାନ ଉଚ୍ଛେଦ ଦାବିରେ ଜିଲା ଅବକାରୀ ନିରୀକ୍ଷକଙ୍କୁ ଦାବିପତ୍ର

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଦ ବିରୋଧୀ ଆନ୍ଦୋଳନ ଜୋର ଧରିଛି। ମଦଦେକାନ ଉଚ୍ଛେଦ ଦାବିରେ କଳାହାଣ୍ଡି ଅବକାରୀ ନିରୀକ୍ଷକଙ୍କୁ ବାହାଦୁର ବଗିଚାପଡ଼ା ମହିଳା ସଂଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହରର ମାଣିକେଶ୍ୱରୀ ହାଇସ୍କୁଲ ଛକଠାରୁ କଲେଜଛକ ଯାଏ ମୁଖ୍ୟ ରାସ୍ତାର ଦୁଇପାର୍ଶ୍ୱରେ ଅନେକ ମଦଦୋକାନ ଖୋଲାଯାଇଛି। ଫଳରେ ଉକ୍ତ ରାସ୍ତା ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଥିବା ବେଳେ ମହିଳା ଓ ଯୁବତୀମାନେ ମଦ୍ୟପମାନଙ୍କର ଶିକାର ହେଉଛନ୍ତି। କଲେଜ ଯିବା ରାସ୍ତାରେ ଥିବା ମଦଦୋକାନ ଓ ଜିଲା ଶିଳ୍ପକେନ୍ଦ୍ର ପଛପଟରେ ଥିବା ମଦଦୋକାନକୁ ବନ୍ଦ କରି ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଳାହାଣ୍ଡି ଅବକାରୀ ନିରୀକ୍ଷକଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।