ତେଜୁଛି କଲେଜ ବିବାଦ: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଡ଼ିଲା ତାଲା

କୁଆମରା,୩୧ା୧୦(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଗତ ୧୮ ତାରିଖରେ କଲେଜ ପରିସରରେ ଅଧ୍ୟକ୍ଷ ଜଣେ ଛାତ୍ରଙ୍କୁ ହାତ ଉଠାଇବା ଘଟଣାକୁ ନେଇ ଛାତ୍ର ଅଶାନ୍ତି ଲାଗି ରହିଛି। ତେବେ ଘଟଣାର ୧୩ ଦିନ ବିତିଯାଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରୁନାହିଁ। କଲେଜ ପରିଚାଳନା କମିଟି ଏହି ବିବାଦର ସ୍ଥାୟୀ ସମାଧାନ କରିବାକୁ ଚେଷ୍ଟା କରୁ ନ ଥିବା ଅଭିବାବକ ମହଲରେ ଅଭିଯୋଗ ହୋଇଛି। ତେବେ ଅଧ୍ୟକ୍ଷଙ୍କ ଇସ୍ତଫା ଦାବିକରି ଛାତ୍ରୀଛାତ୍ରମାନେ ବାରମ୍ବାର କଲେଜରେ ତାଲା ପକାଇ ଆସୁଥିବା ବେଳେ ପରିଚାଳନା କମିଟି ବିଭିନ୍ନ ପ୍ରତିଶ୍ରୁତି ଦେଇ ଚାଲିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନାହିଁ। ଏ ନେଇ ଅଭିବାବକ ଓ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବୁଧବାରଠାରୁ ଅନିର୍ଦ୍ଦିିଷ୍ଟ କାଳ ପାଇଁ ଗେଟରେ ତାଲା ପଡିବ ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି। ଗେଟରେ ତାଲା ପଡ଼ିବା ଯୋଗୁ ବୁଧବାର ଅଧ୍ୟାପକ ଓ ଅଧ୍ୟାପିକାମାନେ କଲେଜ ଭିତରକୁ ପଶି ନ ପାରି ଗଛ ମୂଳେ ବସିଥିବା ଦେଖିବାକୁ ମିଳିଥିଲା।