Categories: ଖେଳ

ତେନ୍ଦୁଲକରଙ୍କ ପରାମର୍ଶ ଚାହାଁନ୍ତି ପାକିସ୍ତାନ ଓପନର

ଲାହୋର, ୨୨ା୪ (ପି.ଟି.)-ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକରଙ୍କଠାରୁ ପରାମର୍ଶ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପାକିସ୍ତାନ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଓପନର ଆବିଦ୍‌ ଅଲି। ୩୧ବର୍ଷୀୟ ଆବିଦ୍‌ ପାକିସ୍ତାନ ଘରୋଇ କ୍ରିକେଟରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ମାସରେ ଦୁବାଇଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପଦାର୍ପଣ ମ୍ୟାଚ ଖେଳି ଶତକ ହାସଲ କରିଥିଲେ। ଏଥିଲାଗି ତାଙ୍କୁ ବିଶ୍ୱକପ୍‌ ଲାଗି ପାକିସ୍ତାନ ଜାତୀୟ ଦିନିକିଆ ଦଳରେ ସ୍ଥାନ ମିଳିଛି। ପ୍ରତିଭାସମ୍ପନ୍ନ ଆବିଦ୍‌ଙ୍କ ବ୍ୟାଟିଂ ଶୈଳି ତେନ୍ଦୁଲକରଙ୍କ ସହିତ ଅନେକ ମେଳ ରହିଛି। ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ବ୍ୟାଟିଂ ଆଇକନ୍‌ଙ୍କଠାରୁ ମୁଁ ପରାମର୍ଶ ଚାହେଁ। ତାଙ୍କଠାରୁ ସକାରାତ୍ମକ ଉତ୍ତର ମିଳିବ ବୋଲି ମୋର ଆଶା। ମୋ ଆଇଡଲ ସଚିନଙ୍କୁ ମୁଁ ସାକ୍ଷାତ୍‌ କରିବାକୁ ଚାହେଁ। ସୁଯୋଗ ଅପେକ୍ଷାରେ ରହିଛି। ଯେଉଁ ଦିନ ତାଙ୍କ ସହ ମୋର ଦେଖା ହେବ ତାହା ମୋ ପାଇଁ ସବୁଠାରୁ ସ୍ମରଣୀୟ ଦିନ ହୋଇ ରହିବ ବୋଲି ଆବିଦ ଏଠାରେ ଖବରଦାତାମାନଙ୍କୁ କହିଛନ୍ତି।

Share