‘ତେରେ ନାମ୍‌’ରୁ ହିଟ୍‌ ହୋଇଥିବା ଏହି ଅଭିନେତ୍ରୀ ଅଚାନକ ଛାଡ଼ିଦେଇଥିଲେ ଇଣ୍ଡଷ୍ଟ୍ରି

ଫିଲ୍ମ ‘ତେରେ ନାମ୍‌’ରୁ ହିଟ୍‌ ହୋଇଥିବା ଜଣେ ଅଭିନେତ୍ରୀ ଇଣ୍ଡଷ୍ଟ୍ରି ଛାଡ଼ି ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହୁଛନ୍ତି। ଆଉ କେହି ନୁହନ୍ତି, ସେ ହେଉଛନ୍ତି ଭୂମିକା ଚାଓ୍ବଲା। ଆଜି ଅର୍ଥାତ ୨୧ ଅଗଷ୍ଟରେ ସେ ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଦିନରେ ଭୂମିକା କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ନିଷ୍ପତ୍ତି ନେଲେ ତାହା ଜଣାଇବାକୁ ଚାହୁଁଛୁ।


ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ଭୂମିକା ଖାଲି ହିନ୍ଦୀ ନୁହେଁ, ତେଲ୍‌ଗୁ, ମାଲାୟାଲମ,କନ୍ନଡ, ଭୋଜପୁରୀ ଏବଂ ପଞ୍ଜାବୀ ଫିଲ୍ମରେ ଅଭିନୟରେ ଦର୍ଶକଙ୍କ ହୃଦୟ ଜିଣିସାରିଛନ୍ତି। ପଞ୍ଜାବୀ ପରିବାରରେ ଜନ୍ମିତ ଭୂମିକା ପ୍ରଥମେ ଏକ ତେଲ୍‌ଗୁ ଫିଲ୍ମ ‘Yuvakudu’ରେ ଅଭିନୟ କରିଥିଲେ। ଦୀର୍ଘଦିନ ଧରି ସେ ସାଉଥ୍‌ ଫିଲ୍ମରେ ବେଶ୍‌ ନାଁ କରିବା ପରେ ହିନ୍ଦୀ ଫିଲ୍ମ ‘ତେରେ ନାମ୍‌’ରେ ଶାହାରୁଖଙ୍କ ସହିତ କାମ କରିବାକୁ ସୁଯୋଗ ପାଇଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ଏହା ପରଠାରୁ ଭୂମିକାଙ୍କ ନିକଟକୁ ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମର ଅଫର ଆସିଲା। ୨୦୦୪ରେ ଅଭିଷେକ ବଚ୍ଚନଙ୍କ ସହିତ ଫିଲ୍ମ ‘ରନ୍‌’ରେ ଅଭିନୟ କରିଥିଲେ। କିନ୍ତୁ ଫିଲ୍ମଟି ଏତେ କମାଲ କରିପାରି ନ ଥିଲା। ଏହା ପରେ ପୁଣି ଥରେ ଭୂମିକା ଫିଲ୍ମ ‘ସିଲ୍‌ସିଲେ’ ଏବଂ ‘ଦିଲ୍‌ ଯୋ ଭି କହେ’ରେ ଅଭିନୟ କରିଥିଲେ। କିନ୍ତୁ ଦୁଇଟି ଯାକ ଫିଲ୍ମ ଫ୍ଲପ୍‌ ହୋଇଯାଇଥିଲା।

ବଲିଉଡ୍‌ ଭୂମିକାଙ୍କ ପାଇଁ ଶୁଭ ନ ଥିଲା। ତେଣୁ ସେ ପୁଣି ଫେରିଗଲେ ତାଙ୍କ ମୂଳ ଫିଲ୍ମକୁ। ଏହା ପରେ ୨୦୦୭ରେ ଯୋଗ ଶିକ୍ଷକ ଭରତ ଠାକୁରଙ୍କୁ ପ୍ରେମ ବିବାହ କରିନେଲେ ଭୂମିକା। ସ୍ବାମୀ, ୬ ବର୍ଷର ପୁଅ ସହିତ ତାଙ୍କର ପାରିବାରିକ ଜୀବନ ବେଶ୍‌ ହସଖୁସିରେ ଚାଲିଛି।

Share