ତେଲକୋଇ ବଜାରରୁ ଜବରଦଖଲ ଉଚ୍ଛେଦ

ତେଲକୋଇ,୪ା୧(ଡି.ଏନ୍‌.ଏ.)- ରାସ୍ତା ପ୍ରଶସ୍ତୀକରଣ ପାଇଁ ତେଲକୋଇ ମୁଖ୍ୟାଳୟର ବଜାର ଅଞ୍ଚଳରେ ଥିବା ସରକାରୀ ଜମିକୁ ଶୁକ୍ରବାର ଜବରଦଖଲ ମୁକ୍ତ କରାଯାଇଛି। ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଶ୍ୱିନୀ କୁମାର ନାୟକ, ବାଂଶପାଳ ତହସିଲଦାର ତ୍ରିନାଥ ଦାଶ ଏବଂ ଥାନା ଅଧିକାରୀ ପଦ୍ମାସିନୀ ମେହେରଙ୍କ ସହିତ ପୋଲିସ ଫୋର୍ସ ଉପସ୍ଥିିତ ରହି ଜବରଦଖଲ ହଟାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, କାଞ୍ଜିପାଣିଠାରୁ ତେଲକୋଇ ଏବଂ ସିରିଗିଡା ପର୍ଯ୍ୟନ୍ତ ୨ ଲେନ ରାସ୍ତା ନିର୍ମାଣ କରାଯାଉଛି । ତେବେ ତେଲକୋଇ ବଜାର ଅଞ୍ଚଳରେ ସରକାରୀ ଜମି ଜବରଦଖଲ କରାଯାଇଥିବାରୁ ଏହି ରାସ୍ତା ନିର୍ମାଣରେ ବିଳମ୍ବ ହୋଇଛି। ପ୍ରଥମ ଦିନରେ ପ୍ରଶାସନ ପକ୍ଷରୁ ଜବରଦଖଲରେ ଥିବା ବ୍ଲକ ବିଜେଡି ସଭାପତିଙ୍କ ୨ ମହଲା ଗୃହକୁ ଭଙ୍ଗା ଯାଇଛି। ବଜାର ଅଞ୍ଚଳର ସରକାରୀ ଜମିକୁ ମାଡ଼ି ବସିଥିବା ଅନ୍ୟ ସମସ୍ତଙ୍କୁ ଉଚ୍ଛେଦ କରାଯିବ ବୋଲି ସ୍ଥାନୀୟ ତହସିଲଦାର କହିଛନ୍ତି।