Advertisement

ତେଲଙ୍ଗାନାରେ ଫସିଥିବା ୩୩ ଶ୍ରମିକ ଘରକୁ ଫେରିଲେ

ବରଗଡ଼ ଅଫିସ, ୨୯।୨: ତେଲଙ୍ଗାନା ରାଜ୍ୟର ଏକ ଇଟାଭାଟିରେ ଦୀର୍ଘଦିନ ଧରି ବନ୍ଧା ପଡ଼ିଥିବା ଶ୍ରମିକମାନେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଏବଂ ଝିଟକି ପଞ୍ଚାୟତର ପଥରେଲ ଗ୍ରାମରେ ଥିବା ନିଜ ଘରକୁ ଫେରିଛନ୍ତି। ଖୁସିରେ ସେମାନେ ଆତ୍ମହରା ହୋଇ ପଡ଼ିଥିବା ବେଳେ ଉଦ୍ଧାରରେ ସହଯୋଗ କରିଥିବା ସ୍ଥାନୀୟ ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ଆଉ ୨ ଶ୍ରମିକ ପଥରେଲ ଗ୍ରାମର କୁଳମଣି ବରିହା ଏବଂ ନୂଆପଡ଼ାର ଜଳନ୍ଧର ମାଝୀ ତେଲଙ୍ଗାନାରେ ବନ୍ଧା ପଡ଼ିଥିବା ଯୋଗୁ ସେମାନଙ୍କୁ ଉଦ୍ଧାର ପାଇଁ ମୁକ୍ତ ଶ୍ରମିକମାନେ ସାମାଜିକ କର୍ମୀ ସାହୁଙ୍କୁ ଗୁହାରି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜଣେ ଦାଦନ ଦଲାଲଙ୍କ ପ୍ରରୋଚନାରେ ଗତବର୍ଷ ଜୁଲାଇରୁ ୧୧ଜଣ (ପରିବାର ସହ ସମୁଦାୟ ୩୫ଜଣ) ତେଲଙ୍ଗାନା ରାଜ୍ୟର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ତେବେ ସମ୍ପୃକ୍ତ ଇଟାଭାଟି ମାଲିକ ସେମାନଙ୍କୁ ପାରିଶ୍ରମିକ ବଦଳରେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗତ ୧୬ ତାରିଖରେ ନିର୍ଯାତିତ ଜଣେ ଶ୍ରମିକ ସାମାଜିକ କର୍ମୀ ସାହୁଙ୍କୁ ଫୋନ କରି ଜଣାଇବା ସହ ମୋବାଇଲରେ ଏକ ଭିଡିଓ ମଧ୍ୟ ପଠାଇଥିଲେ। ଏଥିସହ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ଏହାପରେ ସାହୁ ଉଭୟ ଓଡ଼ିଶା ଏବଂ ତେଲଙ୍ଗାନା ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଟ୍ବିଟ୍‌ ଓ ଫୋନ୍‌ କରି ସେମାନଙ୍କ ଉଦ୍ଧାର ଦିଗରେ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଇତିମଧ୍ୟରେ ୩୫ ଜଣଙ୍କ ମଧ୍ୟରୁ ୩୩ଜଣ ଇଟାଭାଟି ମାଲିକଙ୍କ କବଳରୁ ମୁକୁଳି ଘରକୁ ଫେରିଛନ୍ତି। ଅନ୍ୟ ୨ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା ସାମାଜିକ କର୍ମୀ ସାହୁ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share