Categories: ଜାତୀୟ

ତେଲଙ୍ଗାନା ଏନ୍‌କାଉଣ୍ଟର: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩।୧୨(ପି.ଟି.):ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ କେଉଁ ପରିସ୍ଥିତିରେ ଏନ୍‌କାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହେଲା, ତାହାର ବିଚାର ବିଭାଗୀୟ ତଦନ୍ତ ଲାଗି ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସର୍ବୋଚ୍ଚ ଅଦାଲତର ପୂର୍ବତନ ବିଚାରପତି ଭି.ଏସ୍‌. ସିରପୁର୍‌କରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ତଦନ୍ତ କମିଶନ ଗଠନ କରାଯାଇଛି। ଏଥିରେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ରେଖା ସୋନ୍ଦୁର ବାଲଡୋଟା ଏବଂ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡି.ଆର୍‌. କାର୍ତ୍ତିକେୟନ ସଦସ୍ୟ ରହିଛନ୍ତି। ୬ ମାସ ମଧ୍ୟରେ ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବା ଲାଗି କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌.ଏ. ନାଜିର ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ତେଲଙ୍ଗାନା ହାଇକୋର୍ଟଙ୍କ ଶୁଣାଣି ଓ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ର ତଦନ୍ତ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ମାମଲାର ଏସ୍‌ଆଇଟି ରିପୋର୍ଟ ଅଦାଲତ ମାଗିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କମିଶନଙ୍କ ବିଚାରାଧୀନ ଥିବା ଉକ୍ତ ମାମଲା ଉପରେ ଅନ୍ୟ କୌଣସି କର୍ତ୍ତୃପକ୍ଷ ତଦନ୍ତ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ତିନିଜଣିଆ ବିଚାର ବିଭାଗୀୟ କମିଶନଙ୍କୁ ସିଆର୍‌ପିଏଫ୍‌ ସୁରକ୍ଷା ଯୋଗାଇ ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଗତ ମାସ ୨୮ରେ ତେଲଙ୍ଗାନାର ୨୬ ବର୍ଷୀୟା ପ୍ରାଣୀ ଚିକିତ୍ସକଙ୍କ ଦଗ୍ଧ ମୃତଦେହ ମିଳିବା ପରେ ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା। ଏହି ଘଟଣାକୁ ନେଇ ତେଲଙ୍ଗାନା ସମେତ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇବା ସହ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦାବି ହୋଇଥିଲା। ଗତ ୬ ତାରିଖ ଭୋର ସମୟରେ ଅଭିଯୁକ୍ତମାନଙ୍କୁ ପୋଲିସ ଏନ୍‌କାଉଣ୍ଟରରେ ହତ୍ୟା କରିଥିଲା। ଏଭଳି ଏନ୍‌କାଉଣ୍ଟରକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା।

Share