ତେଲେଙ୍ଗାନାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଅନୁମତି ଦେଲାନି ପ୍ରଶାସନ

ମାଲକାନଗିରି,୧୬ା୫(ଡି.ଏନ୍‌.ଏ.): ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ସେରପାଲ୍ଲୀ ପଞ୍ଚାୟତର ପଦରାଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି କାମ କରିବା ପାଇଁ ତେଲେଙ୍ଗାନା ଯାଇଥିବା ବେଳେ କରୋନା ଯୋଗୁ ଚିକିତ୍ସା ସେବା ନ ପାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଗ୍ରାମର ବାସୁଦେବ କୁରାମୀଙ୍କ ସହ ମୋଟ୍‌ ୯ଜଣ ଗତ ୩ ମାସ ହେଲା ତେଲେଙ୍ଗାନା ରାଜ୍ୟର ସୀତାପେଟାଠାରେ କାମ କରିବାକୁ ଯାଇଥିଲେ। ତେବେ ହଠାତ୍‌ ବାସୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ନିକଟସ୍ଥ ସରକାରୀ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତିି କରିବା ପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟି ନ ଥିଲା। ପରେ ନିଜ ଗ୍ରାମକୁ ଆସିବା ପାଇଁ କୌଣସି ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ଏକ ପୁରୁଣା ମୋଟରସାଇକେଲ କିଣିଥିଲେ। ପରେ ମୋଟରସାଇକେଲରେ ନିଜ ଗ୍ରାମକୁ ଫେରିବାକୁ ମଧ୍ୟ ଅନୁମତି ମିଳିବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ଆଣିବା ବେଳେ ମାଲକାନଗିରି ଜିଲା ମୋଟୁ ପ୍ରବେଶ ପଥ ଦେଇ ଆଣିବାକୁ ଅନୁମତି ମିଳି ନ ଥିଲା ା ତେଣୁ ବାଧ୍ୟ ହୋଇ ଚିତ୍ରକୋଣ୍ଡା ଦେଇ ଅଧିକ ୬୨ କିମି ବାଟ ଦେଇ ଆସିବାକୁ ପଡ଼ିଥିଲା ବୋଲି ସହକର୍ମୀ ଶ୍ରମିକ ମେଘନାଥ ଡୁରୁକା ଓ ପ୍ରଦୀପ ଦୋରା ଅଭିଯୋଗ କରିଛନ୍ତି। ପରେ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଶନିବାର ଅଣାଯାଇ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି। ପୂର୍ବତନ ଏମ୍‌ପି ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଜିଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ ଓ ଅନ୍ୟମାନେ ତାଙ୍କ ଅନ୍ତ୍ୟେଷ୍ଟିିକ୍ରିୟାରେ ଯୋଗ ଦେଇ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Share