ତେଲଙ୍ଗାନାରେ ଫସିଛନ୍ତି ୧୫ରୁ ଊର୍ଦ୍ଧ୍ୱ ଶ୍ରମିକ

ବାଲେଶ୍ୱର ଅଫିସ,୨।୫: ବାଲେଶ୍ୱର ଜିଲା ଗୋପାଳପୁର ଅଞ୍ଚଳର ୧୫ରୁ ଊର୍ଦ୍ଧ୍ୱ ଶ୍ରମିକ ଦୁଇବର୍ଷ ଧରି ତେଲଙ୍ଗାନା ରାଜ୍ୟର ମେଡ଼ିଚାଲ ଜିଲା ଅଲାମ୍ପେଟ ପଞ୍ଚାୟତରେ ଥିବା ଶ୍ରୀରାମ ସ୍ପିନିଂ ମିଲ୍‌ରେ କାମ କରିବା ସହ ନିଜର ପରିବାର ସହ ରହୁଥିଲେ। କରୋନା ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସେମାନେ ଘରକୁ ଆସି ନ ପାରି ଫସି ରହିଛନ୍ତି। ସେମାନଙ୍କ ନିକଟରେ ଥିବା ଟଙ୍କା, ରାଶନ ସବୁ ସରିଯାଇଛି। ବହୁ କଷ୍ଟରେ ସେମାନେ ସମୟ ଅତିବାହିତ କରୁଛନ୍ତି।
ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରସ୍ତ କାର୍ଯ୍ୟକ୍ରମରେ ସେମାନେ ନାମ ପଞ୍ଜିକରଣ କରିଥିଲେ। ଫେରିବା ଲାଗି ମୋବାଇଲ ଯୋଗେ ସୂଚନା ମିଳିବା ପରେ ସେମାନେ କାରଖାନାର ମାଲିକଙ୍କୁ ଗେଟ୍‌ ପାସ୍‌ ପାଇଁ ଆବେଦନ କରିଥିଲେ। ସେମାନଙ୍କ ନିକଟରେ ଖାଇବା ପାଇଁ ଟଙ୍କା ନ ଥିବାବେଳେ ଘର ଭଡ଼ା, ଇଲେକ୍ଟ୍ରିବିଲ୍‌ ଓ ପାଣି ବିଲ୍‌ ଦେବାକୁ ଘର ମାଲିକ ତାଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି। ଉକ୍ତ ବିଲ୍‌ ନ ଦେଲେ ସେମାନଙ୍କୁ ଗେଟ୍‌ ପାସ ମିଳିବ ନାହିଁ ବୋଲି ରୋକ୍‌ଠୋକ୍‌ କହିବା ପରେ ସେମାନଙ୍କର ଦୁର୍ଦ୍ଦଶା ବଢ଼ିଯାଇଛି। ଅନ୍ୟପକ୍ଷରେ କାରଖାନାର ଉପରିସ୍ଥ କର୍ମଚାରୀମାନେ ସେମାନଙ୍କ ଉପରେ ବହୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନଙ୍କୁ ଏକ ଭିଡ଼ିଓ ମାଧ୍ୟମରେ ସେମାନେ ନିବେଦନ କରିଛନ୍ତି।