ତେଲଙ୍ଗାନାରେ ୪ ଦିନରେ ୬୦୦ କୋଟିର ମଦ ବିକ୍ରି

ହାଇଦ୍ରାବାଦ,୧୧।୫: ତେଲଙ୍ଗାନାରେ ମାତ୍ର ୪ ଦିନରେ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏହାଯୋଗୁ ରାଜ୍ୟ ଏକ ରେକର୍ଡ କରିଛି। ଲକ୍‌ଡାଉନ୍‌ ସମୟରେ ରାଜ୍ୟର ରାଜସ୍ବ କ୍ଷତିକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଦ ବିକ୍ରି ପାଇଁ ଅନୁମତି ମିଳିଥିଲା। ଏହାପରେ ତେଲଙ୍ଗାନାରେ ମେ ୬ରୁ ମଦ ବିକ୍ରି ଆରମ୍ଭ ହୋଇଥିଲା। ମେ ୬ରେ ୭୨ କୋଟି ୫୦ ଲକ୍ଷର ଟଙ୍କାର ମଦ ବିକ୍ରି ହୋଇଥିବାବେଳେ ମେ ୭ରେ ୧୮୮ କୋଟି ୨୦ ଲକ୍ଷ, ମେ ୮ରେ ୧୯୦ କୋଟି ୪୭ ଲକ୍ଷ ଏବଂ ମେ ୯ରେ ୧୪୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ରାଜ୍ୟରେ ମଦ ଦାମ ଅପେକ୍ଷାକୃତ କମ୍‌ ଥିବାରୁ ଏପରି ହୋଇଥିବା କୁହାଯାଉଛି। ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ମଦ ଉପରେ ୭୫ ପ୍ରତିଶତ ଟିକସ ଲାଗୁ ହୋଇଥିବାରୁ ଏଠାରେ କମ୍‌ ପରିମାଣର ମଦ ବିକ୍ରି ହୋଇଛି। ଲକ୍‌ଡାଉନ୍‌ ସମୟ ସୀମା ପୁଣି ବଢ଼ିବା ଆଶଙ୍କା କରି ବହୁ ଲୋକ ପେଟି ପେଟି ମଦ କିଣି ଷ୍ଟକ୍‌ ରଖିଛନ୍ତି। ସାଧାରଣତଃ ଏତେ ପରିମାଣର ମଦ ୧୦ରୁ ୧୨ ଦିନରେ ବିକ୍ରି ହୋଇଥାଏ ବୋଲି କୁହାଯାଉଛି।

Share