ତେଲେଙ୍ଗାନା ଇଟାଭାଟିରୁ ୧୬ ଶ୍ରମିକଙ୍କ ସମେତ ୫ ଶିଶୁ ଉଦ୍ଧାର

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଓଡ଼ିଶା ମୋ’ ପରିବାର ହସ୍ତକ୍ଷେପ ପରେ ତେଲେଙ୍ଗାନା ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲାର ୧୬ ଜଣ ଶ୍ରମିକ ଓ ସେମାନଙ୍କ ୫ଶିଶୁଙ୍କୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର, ସୋନପୁର ଜିଲାର ଏହି ଶ୍ରମିକମାନେ ତେଲେଙ୍ଗାନାର ପେଡ଼ାପଲ୍ଲୀ ଜିଲା ବେଗମ୍‌ପେଟ ଗାଁରେ ଥିବା କାଟେ ପ୍ରଭାକର ନାମକ ଜଣେ ବ୍ୟକ୍ତିଙ୍କ ଇଟାଭାଟିରେ କାମ କରୁଥିଲେ। ଏଠାରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯିବା ସହ ଦୁଇମାସ ହେଲା ପାଉଣା ମିଳୁ ନ ଥିଲା। ଏପରିକି କୁନିକୁନି ପିଲାମାନଙ୍କୁ ବଳପୂର୍ବକ କାମରେ ଲଗାଇ ଦିଆଯାଉଥିଲା। ଏଭଳି ଘଟଣା ହେଲ୍ପଲାଇନ୍‌ ମାଧ୍ୟମରେ ଓଡ଼ିଶା ମୋ’ ପରିବାରର ସଂଯୋଜକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂକ୍ରାନ୍ତରେ ସେ ଆନ୍ଧ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ୍‌ଏ ହୁଡ୍ଡାଙ୍କ ସହ ଯୋଗାଯୋଗ କରିଥିଲେ। ଏଥିସହିତ ଖୋର୍ଦ୍ଧା ଜିଲାପାଳ ଏବଂ ଓଡ଼ିଶାର ଶ୍ରମ କମିଶନରଙ୍କୁ ପଦକ୍ଷେପ ନେବାକୁ କହିଥିଲେ। ପରେ ତେଲେଙ୍ଗାନାର ଏହି ଇଟାଭାଟି ଉପରେ ବେଗମ୍‌ପେଟର ଏସ୍‌ପି ସଦଳବଳ ଚଢ଼ାଉ କରିବା ସହିତ ଛୋଟଛୋଟ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ରବିବାର ଶ୍ରମ ଇନ୍ସପେକ୍ଟର ସ୍ଥାନୀୟ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ସେମାନଙ୍କର ସମସ୍ୟା ଓ ବକେୟା ପାଉଣା ସଂକ୍ରାନ୍ତରେ ଟିକିନିଖି ପଚାରି ବୁଝିଛନ୍ତି।

Share