ତେଲେଙ୍ଗା ବଜାରରେ ଅଗ୍ନିକାଣ୍ଡ : ଜଳିଗଲା ୪୦ରୁ ୫୦ ଲକ୍ଷ ଟଙ୍କାର ସାମଗ୍ରୀ

କଟକ ଅଫିସ, ୫।୧: କଟକର ପୁରୀଘାଟ ଥାନା ଅନ୍ତର୍ଗତ ତେଲେଙ୍ଗା ବଜାରରେ ଥିବା ରଘୁନାଥଜୀଉ ସପ୍ଲାୟର୍ସରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥିବା ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କାର ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ସମ୍ପୂର୍ଣ୍ଣ ଜଳି ଯାଇଥିବା ଷ୍ଟୋର ମାଲିକ ବସନ୍ତ କୁମାର ଦାସ କହିଛନ୍ତି।

ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତେବେ ପାଖରେ ଥିବା ଦୋକାନଗୁଡିକର କୌଣସି କ୍ଷତି ଘଟି ନ ଥିବା ଜଣାପଡ଼ିଛି। ଷ୍ଟୋର ବାହାର ପଟୁ ବନ୍ଦ ରହିଥିବାବେଳେ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ସିଡିଏ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ୨ଟି ଗାଡି ସହ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୧ ଘଣ୍ଟା ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।