Categories: ବାଣିଜ୍ୟ

ତେଲ କମ୍ପାନୀଙ୍କ ୫ ହଜାର କୋଟି ବାକି ରଖିଛି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୨୪-୮: ଏୟାର ଇଣ୍ଡିଆ ଉପରେ ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ୫ ହଜାର କୋଟି ଟଙ୍କାର ବାକି ରହିଛି। ଗତ ଆଠ ମାସ ଧରି ଏହି ବିମାନ କମ୍ପାନୀ ଇନ୍ଧନ ବିଲ୍‌ ପ୍ରଦାନ କରି ନାହିଁ ବୋଲି ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଏଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ଆଇଓସି, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ ଗୁରୁବାର ଅପରାହ୍ନରୁ ଏୟାର ଇଣ୍ଡିଆକୁ ବିମାନ ଇନ୍ଧନ(ଏଟିଏଫ୍‌) ଯୋଗାଣ ବନ୍ଦ କରିଛନ୍ତି। ଦେଶର କୋଚି, ପୁଣେ, ପାଟନା, ରାଞ୍ଚି ଏବଂ ଭାଇଜାଗ ଭଳି ଏୟାରପୋର୍ଟରେ କମ୍ପାନୀଗୁଡିକ ଏୟାର ଇଣ୍ଡିଆକୁ ଏଟିଏଫ ଯୋଗାଣରୁ ବିରତ ରହିଛନ୍ତି।ଉକ୍ତ ବିମାନ କମ୍ପାନୀ ଉପରେ ବୃହତ୍ତ ପରିମାଣର ଅର୍ଥ ବାକି ରହିବା ଯୋଗୁ ବାଧ୍ୟହୋଇ ମିଳିତ ଭାବେ ଏଭଳି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି। ବକେୟା ଅର୍ଥ ପୈଠ ନ ହେଲେ ଅଗଷ୍ଟ ୨୨ଠାରୁ ଇନ୍ଧନ ଯୋଗାଣ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ଏକ ଚିଠି ଯୋଗେ ଏୟାର ଇଣ୍ଡିଆ ପରିଚାଳନା ବୋର୍ଡକୁ ଜଣାଇ ଦିଆଯାଇଛି।
ଏହି ୬ ବିମାନ ବନ୍ଦରରେ ଦୈନିକ ଭିତ୍ତିରେ ଏୟାର ଇଣ୍ଡିଆକୁ ୨୫୦ କିଲୋ ଲିଟର ଏଟିଏଫ୍‌ ଆବଶ୍ୟକତା ହୋଇଥାଏ। ପୂର୍ବରୁ ବକେୟା ଲାଗି ତୈଳ କମ୍ପାନୀଗୁଡିକ ବିଭିନ୍ନ ସମୟରେ ଏୟାର ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି। ଅର୍ଥ ପୈଠ ହୋଇ ଯାଉଥିବାରୁ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହୋଇ ନ ଥିବା ବେଳେ ଚଳିତ ଥର ବାରମ୍ବାର କମ୍ପାନୀକୁ ଏ ନେଇ ଜଣାଇବା ପରେ କୌଣସି ସମାଧାନ ପନ୍ଥା ବାହାରି ନ ଥିଲା। ବିମାନ କମ୍ପାନୀ ମାତ୍ର ୬୦ କୋଟି ଟଙ୍କା ଦେବ ବୋଲି କହିଥିଲା ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଫଳରେ ତେଲ କମ୍ପାନୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯେଉଁ ବିମାନ ବନ୍ଦରଗୁଡିକରେ ଇନ୍ଧନ ଯୋଗାଣ ହେଉ ନାହିଁ ଅନ୍ୟ ବିମାନ ବନ୍ଦରରୁ ତେଲ ଭରାଯାଉଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Share