ତେସିଙ୍ଗା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବଗିଚା କାମ କରୁଛନ୍ତି ପ୍ରବାସୀ

ଭଣ୍ଡାରିପୋଖରୀ,୨୪ା୫(ଡି.ଏନ୍‌.ଏ.): କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କିଏ ଟିକ୍‌ଟକ୍‌ କଲାଣି ତ ଆଉ କିଏ ଖାଇବା ଫିଙ୍ଗି ଭିଡିଓ ଭାଇରାଲ କଲେଣି। ଏଥିନେଇ ସରପଞ୍ଚଙ୍କଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ମାତ୍ର ଏମିତି ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟର ଅଛ, ଯେଉଁଠି ପ୍ରବାସୀମାନେ ବଗିଚା କାମ କରି ବେଶ୍‌ ଶୃଙ୍ଖଳିତ ଆଚରଣ ଦେଖାଇ ଅନ୍ୟମାନଙ୍କ ପାଇଁ
ଉଦାହରଣ ପାଲଟିଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତସ୍ଥିତ ବିଶୋଳ କୁଲଣା ମୈତ୍ରୀ ସରକାରୀ ଉଚ୍ଚ ବିଦ୍ୟାପୀଠ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମହିଳା ଓ ପୁରୁଷ ମିଶି ୭୪ ଜଣ ପ୍ରବାସୀ ରହିଛନ୍ତି। ସମସ୍ତେ କୋଲକାତା, ବିହାର,ତାମିଲନାଡୁ,ଆନ୍ଧ୍ରପ୍ରଦେଶ,କର୍ନାଟକ, ମହାରାଷ୍ଟ୍ର ,କେରଳ ଆଦି ରାଜ୍ୟରୁ ଆସି ଏହି କେନ୍ଦ୍ରରେ ରହିଛନ୍ତି। ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଖଣ୍ଡାଇଙ୍କ ତତ୍ତ୍ୱାବଧାନରେ ଏଠାରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯିବା ରନ୍ଧାଖାଦ୍ୟ ଦିଆଯାଉଛି। ସବୁଠୁ ବଡ଼ କଥା ହେଲା ଏହି କ୍ୱାରାଣ୍ଟାଇନ୍‌ ସେଣ୍ଟରର ଅଧିକାଂଶ ପ୍ରବାସୀ ଉକ୍ତ ବିଦ୍ୟାପୀଠର ପୁରାତନ ଛାତ୍ର। ଉକ୍ତ ବିଦ୍ୟାପୀଠରୁ ପାଠପଢ଼ା ଛାଡ଼ି ଆତ୍ମନିର୍ଭରଶୀଳ ପାଇଁ ବାହାର ରାଜ୍ୟକୁ କାମଧନ୍ଦା ପାଇଁ ଯାଇଥିଲେ। ତେଣୁ ପ୍ରବାସୀମାନେ ଅବସର ସମୟରେ ବିଦ୍ୟାପୀଠ ପରିସରରେ ଥିବା ଫୁଲ ବଗିଚାରେ ମାଟି ହାଣିବା ସହ ଫୁଲ ଫଳ ଗଛ ଲଗାଇବା, ପାଣି ଦେବା, ସଫା ସୁତରା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପ୍ରବାସୀମାନଙ୍କୁ ଏଥିପାଇଁ କୌଣସି ପାରିଶ୍ରମିକ ଦିଆଯାଉନାହିଁ ବୋଲି ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଖଣ୍ଡାଇ କହିଛନ୍ତି।