ତୈଳର ନିରଙ୍କୁଶ ମହାଜନି

ବିମଳ ପାଣ୍ଡିଆ

ଦିନଥିଲା ପେଟ୍ରୋଲ, ଡିଜେଲ ଦର ବଢ଼ିଲେ ସରକାର ଉପରେ ସବୁ ରୋଷ କଚାଡ଼ି ହୋଇ ପଡୁଥିଲା। ଏବେ ପେଟ୍ରୋଲ, ଡିଜେଲ ଦର କେତେ ବଢ଼ିଲା କି କମିଲା ତହିଁରେ କୁଆଡେ ସରକାରଙ୍କ କିଛି ଲେନା ନାହିଁ କି ଦେନା ନାହିଁ। ୨୩-୩-୨୦୨୩ ତାରିଖରେ ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ତୈଳ ଓ ରସାୟନ ମନ୍ତ୍ରୀ ରାମେଶ୍ୱର ତେଲି କହିଥିଲେ ଯେ, ‘୨୬-୬-୨୦୧୦ରୁ ଡିଜେଲ ଓ ୧୯-୧୦-୨୦୧୪ରୁ ପେଟ୍ରୋଲ ଦର ବଜାରଭିତ୍ତିକ ହୋଇସାରିଛି। ସେହି ତାରିଖଠାରୁ ବଜାରରେ ଅଶୋଧିତ ତୈଳ ଦର ଅନୁସାରେ ଇଣ୍ଡିଆନ ଅଏଲ କର୍ପୋରେଶନ, ବିପିସିଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଭଳି ସରକାରୀ ତୈଳ କମ୍ପାନୀଗୁଡ଼ିକ ମିଶି ପେଟ୍ରୋଲ-ଡିଜେଲ ଦର ନିର୍ଦ୍ଧାରଣ କରୁଛନ୍ତି ଏବଂ ୧୬-୦୬-୨୦୧୭ରୁ ସାରା ଦେଶରେ ପ୍ରତିଦିନ ତେଲ ଦର ବଦଳୁଛି।’ଏବେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବଦଳୁଛି ବୋଲି କହିବା ପରେ ପରେ ମନ୍ତ୍ରୀ ପୁଣି କହିଥିଲେ ଯେ, ୦୬-୦୪-୨୦୨୨ରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ଦର ଆଦୌ ବଢ଼ାଇ ନାହାନ୍ତି।’
ଇଏତ ବିପରୀତ କଥା! ଯଦି ନୀତି ଅଛି ଯେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅନୁସାରେ ଭାରତର କମ୍ପାନୀଗୁଡ଼ିକ ପ୍ରତିଦିନ ସେହି ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ନିର୍ଦ୍ଧାରଣ କରିବେ ତେବେ ୦୬-୦୪-୨୦୨୨ରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ଦର ଆଦୌ ବଦଳାଇ ନାହାନ୍ତି କାହିଁକି? କ’ଣ ଏହି ସମୟରେ ଅନ୍ତର୍ଜାତୀୟ ବଜାର ଅଶୋଧିତ ପେଟ୍ରୋଲିୟମ ଦ୍ରବ୍ୟର ଦର ଆଦୌ କିଛି ବଦଳି ନାହିଁ? ବାସ୍ତବତା ହେଲା ଯେ ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଅନେକ ବଦଳୁଥିଲା କହିଲେ ତାହା ସତ୍ୟର ଅପଳାପ ହିଁ ହେବ। ଏହି ସମୟରେ ତେଲ ଦର ହିମାଳୟର ଶିଖରକୁ ବି ଡେଇଁଛି ଆଉ ପ୍ରଶାନ୍ତ ମହାସାଗରର ଅତଳ ଗହୀରକୁ ବି ଖସିଛି। ୦୬-୦୪-୨୦୨୨ରୁ ସିନା ସରକାରୀ ତୈଳ କମ୍ପାନୀଗୁଡ଼ିକ ଦର ବୃଦ୍ଧି କରିନାହାନ୍ତି କିନ୍ତୁ ଭାରତରେ ପେଟ୍ରୋଲ ଡିଜେଲ ଦର ଅନ୍ତର୍ଜାତୀୟ ବଜାର ଦରଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ବା ଭାରତରେ ପେଟ୍ରୋଲ-ଡିଜେଲ ଦର ସରକାରଙ୍କ ଘୋଷିତ ନୀତିରୁ ହୁଡ଼ିବା ଘଟଣା ୦୬-୦୪-୨୦୨୨ରୁ ନୁହେଁ ଅନେକ ଆଗରୁ ସେମିତି ହେବା ଆରମ୍ଭ ହୋଇସାରିଥିଲା। ଅନ୍ତର୍ଜାତୀୟ ବଜାରରେ ତୈଳଦରଠାରୁ ଭାରତର ପେଟ୍ରୋଲ, ଡିଜେଲ ଦର ଅଲଗା ହେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ୦୪-୧୧-୨୦୨୧ରୁ। କ୍ରମାଗତ ଭାବରେ ପେଟ୍ରୋଲ-ଡିଜେଲ ଦର ବଢ଼ିବାକୁ ନେଇ ସାଧାରଣରେ ଆକ୍ରୋଶ ବଢ଼ିବାରୁ କେନ୍ଦ୍ର ସରକାର ୦୪-୧୧-୨୦୨୧ ତାରିଖରେ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କକୁ ହ୍ରାସ କରିଥିଲେ। ତାହା ପୂର୍ବରୁ ପ୍ରାୟ ପ୍ରତ୍ୟେକ ଦିନ ପେଟ୍ରୋଲ-ଡିଜେଲ ଦରରେ କିଛିକିଛି ପରିବର୍ତ୍ତନ ହେଉଥିଲା। ୦୪-୧୧-୨୦୨୧ରେ ଉତ୍ପାଦ ଶୁଳ୍କ ହ୍ରାସ ହେବା ଦିନଠାରୁ ଆରମ୍ଭ ହୋଇ ୧୯-୦୩-୨୦୨୨ ଯାଏ, ୧୩୫ ଦିନ ଧରି, ଦେଶରେ ପେଟ୍ରୋଲ, ଡିଜେଲ ଦରରେ କିଛି ପରିବର୍ତ୍ତନ ହେଲା ନାହିଁ। ୦୪-୧୧-୨୦୨୧ରେ ଭାରତ ସରକାର ଉତ୍ପାଦ ଶୁଳ୍କ ଘଟାଇବା ଦିନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପ୍ରାକୃତିକ ତୈଳର ଦର ବ୍ୟାରେଲ ପ୍ରତି ୮୨.୪୩ ଡଲାର ଥିଲା। ସେହିଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ୬୯ ଡଲାରକୁ ବି ଖସିଥିଲା ଆଉ ୧୩୪ ଡଲାରର ଶିଖରକୁ ବି ଛୁଇଁଥିଲା। ଉତ୍ପାଦ ଶୁଳ୍କ ଘଟାଇବା ଦିନଠାରୁ ୨୪-୦୨-୨୦୨୨ ତାରିଖରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଯାଏ, ଅର୍ଥାତ ୮୦ ଦିନ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୮୨ ଡଲାରରୁ ପ୍ରାୟ କମ୍‌ ହିଁ ରହିଥିଲା। କିନ୍ତୁ ଭାରତରେ ପେଟ୍ରୋଲ, ଡିଜେଲ ଦାମ୍‌ କମି ନ ଥିଲା। ସେମିତି ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ କିଛି ସପ୍ତାହ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ନିଆଁ ଲାଗିଥିବା ସତ୍ତ୍ୱେ ଭାରତରେ ପେଟ୍ରୋଲ-ଡିଜେଲ ଦାମ୍‌ ଉଁ କି ଚୁଁ ହୋଇ ନ ଥିଲା। ପ୍ରତିଦିନ ତୈଳ ଦର ବଦଳିବାର ନୀତିରେ କାହିଁକି ଓ କାହା ନିର୍ଦ୍ଦେଶରେ ତାଲା ପଡିଥିଲା? ଅଶୋଧିତ ତୈଳ ଦର କମ୍‌ ଥିବା ବେଳେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ, ଡିଜେଲ ଦର ନ ଖସାଇବାର ଔଦ୍ଧତ୍ୟ କଲେ କେମିତି? ଆଉ ଯେତେବେଳେ ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ୨୦୨୨ ଫେବୃୟାରୀର ମଧ୍ୟଭାଗରୁ ଅଶୋଧିତ ତୈଳ ଦର ବ୍ୟାରେଲ-ପ୍ରତି ୧୦୦ ଡଲାରରୁ ଅଧିକ ରହିବା ଆରମ୍ଭ ହୋଇ ୦୭-୦୩-୨୦୨୨ ତାରିଖରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୩୯ ଡଲାରର ଶୀର୍ଷକୁ ଛୁଇଁଥିଲେ ବି କାହିଁକି କ୍ଷତି ମୁଣ୍ଡାଉଥିଲେ?
ତୈଳ କମ୍ପାନୀଗୁଡ଼ିକ ୧୩୫ ଦିନ ଧରି ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ନ କରିବାର କାରଣ ଖୋଜିବା ଅଦୌ ଜଟିଳ ନୁହେଁ। ଉତ୍ତରପ୍ରଦେଶ ଓ ପଞ୍ଜାବକୁ ମିଶାଇ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ୨୦୨୨ ଜାନୁୟାରୀ ଦିତୀୟ ସପ୍ତାହରୁ ଆରମ୍ଭ ହେଲା ଓ ନିର୍ବାଚନ ଫଳ ୧୦-୦୩-୨୦୨୨ରେ ପ୍ରକାଶ ପାଇଲା। ସରକାର ଗଢୁଗଢୁ ଆଉ ୫/୭ ଦିନ ଲାଗିଲା। ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ, ଡିଜେଲ ଦର ବଢ଼ାଇଲେ ୧୯-୦୩-୨୦୨୨ରେ। ୟୁକ୍ରେନ ଯୁଦ୍ଧ ପାଇଁ ସିନା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର କିଛି ସପ୍ତାହ ପାଇଁ ଖୁବ୍‌ ବଢିଯାଇଥିଲା କିନ୍ତୁ ଆଜିକୁ ପ୍ରାୟ ୭ମାସ ହେଲାଣି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୮୨ ଡଲାରରୁ କମ ହିଁ ରହିଛି। ୦୪-୧୧-୨୦୨୧ରେ ଉତ୍ପାଦ ଶୁଳ୍କ ହ୍ରାସ ହେବା ଦିନ ଅଶୋଧିତ ତୈଳ ଦର ୮୨.୪ ଡଲାର ଥିଲା। କିନ୍ତୁ ପେଟ୍ରୋଲ, ଡିଜେଲ ଏହି ଗୋଟିଏ ଦରରେ ରହିଛି ଯେ ରହିଛି।
ଆହୁରି ବି ବଡ଼ କେଁ ଟେ ଅଛି। ଭାରତ ତାହାର ମୋଟ ତୈଳ ଆମଦାନୀର ମାତ୍ର ୫୮% ହିଁ ଖୋଲା ଅନ୍ତର୍ଜାତୀୟ ବଜାରରୁ କିଣୁଛି। ବାକି ସବୁ କିଣୁଛି ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ୱର ଅଧିକାଂଶ ଦେଶ ବାସନ୍ଦ କରିଥିବା ରୁଷିଆରୁ। ୦୪-୦୬-୨୦୨୩ ତାରିଖରେ ‘ଟାଇମ୍ସ ଅଫ ଇଣ୍ଡିଆ’ରେ ପ୍ରକାଶିତ ତଥ୍ୟ ଅନୁସାରେ ଭାରତ ତାହାର ମୋଟ ଅଶୋଧିତ ତୈଳ ଆମଦାନୀର ପ୍ରାୟ ୪୨% ଏବେ ରୁଷିଆରୁ ଅତି ଶସ୍ତା ଦରରେ ଆମଦାନୀ କରୁଛି। ୨୦୨୩ ଏପ୍ରିଲରେ ଭାରତ ସାଉଦିଆରବରୁ ବ୍ୟାରେଲ ପ୍ରତି ୮୬.୯୬ ଡଲାର ଦରରେ ତୈଳ କିଣିଥିବା ବେଳେ ରୁଷିଆରୁ କିଣିଥିବା ତୈଳ ଦର ଥିଲା ମାତ୍ର ୬୮.୨ଡଲାର। ଆମଦାନୀର ଦର ଅନୁସାରେ ପେଟ୍ରୋଲ, ଡିଜେଲ ଦର ସ୍ଥିର କରିବାର ନୀତି ଥାଇ ବି ଏବଂ ରୁଷିଆରୁ ଅତି ଶସ୍ତାରେ ଆମଦାନୀ କରି ମଧ୍ୟ କାହିଁକି ପେଟ୍ରୋଲ,ଡିଜେଲ ଦର କମି ନାହିଁ ତାହା ବଡ଼ ତାଜୁବର ବିଷୟ।
୨୦୨୧-୨୨ ଆର୍ଥିକ ବର୍ଷରେ ଯେତେବେଳେ ଦର ପ୍ରତିଦିନ ବଦଳୁଥିଲା, ସେହିବର୍ଷ ଭାରତର ସର୍ବବୃହତ ତୈଳ କମ୍ପାନୀ ‘ଇଣ୍ଡିଆନ ଅଏଲ କର୍ପୋରେଶନ’ ପ୍ରତି ତିନିମାସରେ ହାରାହାରି ୬,୦୪୬ କୋଟି ଟଙ୍କା ଲେଖାଏଁ ଶୁଦ୍ଧ ଲାଭ କରିଥିଲା। କିନ୍ତୁ ୨୦୨୨-୨୩ ବର୍ଷର ଶେଷ ତିନି ମାସରେ ସେହି କମ୍ପାନୀ ୧୦,୦୫୯ କୋଟି ଟଙ୍କା ଲାଭ କରିଥିଲା। ସେହିଭଳି ଦ୍ୱିତୀୟ ବୃହତ୍ତମ କମ୍ପାନୀ ‘ଭାରତ ପେଟ୍ରୋଲିୟମ କର୍ପୋରେଶନ’୨୦୨୧-୨୨ ମସିହାରେ ମୋଟ ୮,୭୮୯ କୋଟି ଟଙ୍କା ଶୁଦ୍ଧ ଲାଭ କରିଥିବା ବେଳେ ଦରକୁ ନିୟନ୍ତ୍ରିତ କରି ରଖାଯାଇଥିବା ୨୦୨୨-୨୩ ଆର୍ଥିକ ବର୍ଷରେ ୧୪,୪୨୫ କୋଟି ଟଙ୍କାର ବିରାଟ ଲାଭ କରିଥିଲା। ଦିନ ଦ୍ୱିପହରରେ ତୈଳ କମ୍ପାନୀଗୁଡ଼ିକ ବୋଧହୁଏ ସରକାରଙ୍କ ପ୍ରଚ୍ଛନ୍ନ ଇଶାରାରେ ଲୋକଙ୍କୁ ଲୁଟି ଚାଲିଛନ୍ତି। ୨୩-୩-୨୦୨୩ ରେ ଲୋକ ସଭାରେ କେନ୍ଦ୍ର ତୈଳ ଓ ରସାୟନ ମନ୍ତ୍ରୀ ରାମେଶ୍ୱର ତେଲି ‘କମ୍ପାନୀମାନେ ଦର ଆଦୌ ବଢ଼ାଇ ନାହାନ୍ତି’ ନ କହି ‘ଦର ଆଦୌ କମାଇ ନାହାନ୍ତି’ କହିବା ଉଚିତ ହୋଇଥାନ୍ତା। ଏବେ ଅନ୍ତର୍ଜାତୀୟ ବଜାରରେ ତୈଳଦର ଆହୁରି ଖସିଲାଣି। କିନ୍ତୁ ଭାରତରେ ତୈଳ ମହାଜନି ଅତି ସୁରୁଖୁରୁରେ ଚାଲିଛି। ପେଟ୍ରୋଲ-ଡିଜେଲ ଦରର ସିଧା ସମ୍ପର୍କ ଲୋକଙ୍କର କିଣିବା ଶକ୍ତି ଉପରେ ରହିଛି ଆଉ ମୁଦ୍ରାସ୍ଫୀତି ସହିତ ରହିଛି। ତୈଳ କମ୍ପାନୀଗୁଡ଼ିକ ମନମୁଖି କରି ଏବଂ ମହାଜାନି ପ୍ରବୃତ୍ତି ରଖି ଯଦି ଦର ନ ଖସାଇବାର ଅପଚେଷ୍ଟା କରିଛନ୍ତି, ସରକାର ଚୁପ୍‌ ବସିଛନ୍ତି କାହିଁକି? ନା, ଖୋଦ ସରକାର ହିଁ ଏହି ତୈଳ ମହାଜନଙ୍କ ସର୍ଦ୍ଦାର?


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri