ତୈଳାକ୍ତ ତ୍ୱଚାରୁ ମୁକ୍ତି ଦେବ ଧନିଆପତ୍ର ଫେସ୍‌ପ୍ୟାକ

ପ୍ରତିଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହୋଇଥାଏ। ଧନିଆ କେବଳ ଖାଦ୍ୟ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଲାଭକାରୀ। ଏହାର ଫେସ୍‌ପ୍ୟାକ୍‌ ବଜାରରେ ମିଳୁଥିବା ଦାମୀ କ୍ରିମ୍‌କୁ ମଧ୍ୟ ପଛରେ ପକାଇଦେବ। କାରଣ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ବିଟା କେରୋଟିନ୍‌, ଭିଟାମିନ-ସି ଓ ଫୋଲେଟ ତ୍ୱଚା ପାଇଁ ଭଲ କାମ କରିଥାଏ। ଧନିଆ ପତ୍ରରେ ଆଣ୍ଟି-ଫଙ୍ଗାଲ ତତ୍ତ୍ୱ ଥାଏ ଯାହା ଚର୍ମ ସଂକ୍ରମଣରୁ ରକ୍ଷା କରିଥାଏ। ଏଥିସହ ବଢୁଥିବା ବୟସର ଛାପକୁ ବି ଦୂର କରିବା ପାଇଁ ଏହା ଖୁବ ସାହାଯ୍ୟ କରିଥାଏ। ତୈଳାକ୍ତ ତ୍ୱଚା ପାଇଁ ଧନିଆ ପତ୍ର ଖୁବ ଲାଭକାରୀ ହୋଇଥାଏ। ଏହା ତ୍ୱଚାରୁ ଅତିରିକ୍ତ ତୈଳକୁ ବାହାର କରିଦେଇଥାଏ । ଏହି କାରଣରୁ ଚେହେରାରେ ଦାଗ , ରିଙ୍କିଲ୍ସ ପଡ଼ି ନ ଥାଏ।


* ଧନିଆରୁ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ ତ୍ୱଚାକୁ ଉଜ୍ଜଳ ଏବଂ ଅଏଲ ଫ୍ରି କରିଥାଏ। ଏଥିପାଇଁ ଧନିଆ ପତ୍ରକୁ ବାଟି ଏଥିରେ ଆଲୋଭେରା ରସ ଓ ଲେମ୍ବୁକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଭଲ ଭାବେ ଚେହେରାରେ ଲଗାଇ ଦିଅନ୍ତୁ। ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ଶୁଖିବାକୁ ଛାଡିଦିଅନ୍ତୁ। ପରେ ଥଣ୍ଡା ପାଣିରେ ମୁହଁ ଧୋଇନିଅନ୍ତୁ। ଏହାଦ୍ୱାରା ମୁହଁରେ ରିଙ୍କିଲ୍ସ୍‌ ପଡି ନ ଥାଏ।
*ଧନିଆକୁ ଚାଉଳ ଗୁଣ୍ଡ ସହ ମିଶାଇ ଲଗାଇଲେ ମଧ୍ୟ ଲାଭ ମିଳିଥାଏ । ଏହା ତ୍ୱଚା ପାଇଁ ଏକ୍ସଫୋଲିଏଟର୍‌ ଭଳି କାମ କରିଥାଏ। ୧ କପ୍‌ ଧନିଆ ପତ୍ର ବାଟି ଏଥିରେ ୨ ଚାମଚ ଚାଉଳ ଗୁଣ୍ଡ ଏବଂ ଗୋଟିଏ ଲେମ୍ବୁ ମିଶାଇ ଚେହେରାରେ ଲଗାନ୍ତୁ। ଶୁଖିଲା ପରେ ଏହାକୁ ଧୋଇ ନିଅନ୍ତୁ।