ତୈଳ ଫ୍ୟାକ୍ଟ୍ରି ଆକ୍ରମଣ ପଛରେ ଇରାନ: ପ୍ରମାଣ ଦେଖାଇଲା ସୌଦି ଆରବ

ରିୟାଧ,୧୯ା୯(ଏଏଫ୍‌ପି): ୟେମେନ୍‌ ବିଦ୍ରୋହୀଙ୍କ ଡ୍ରୋନ୍‌ ଆକ୍ରମଣରେ ସୌଦି ଆରବର ଆବକିକ୍‌ସ୍ଥିତ ବିଶ୍ୱର ସର୍ବବୃହତ୍‌ ତୈଳ ପ୍ରକ୍ରିୟାକରଣ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ଏଥିଯୋଗୁ ଦେଶର ତୈଳ ଉତ୍ପାଦନ ଓ ରପ୍ତାନି ବହୁଳ ଭାବେ ପ୍ରଭାବିତ ହୋଇଛି। ଏହା ପଛରେ ଇରାନର ହାତ ଥିବା ଉଭୟ ରିୟାଧ ଓ ଓ୍ବାଶିଂଟନ ଦାବି କରୁଥିବାବେଳେ ଅଭିଯୋଗକୁ ତେହେରାନ ଖଣ୍ଡନ କରୁଛି। ଇରାନର ସମ୍ପୃକ୍ତି ନେଇ ବୁଧବାର ସୌଦି ଆରବ ପକ୍ଷରୁ ପ୍ରମାଣ ଦିଆଯାଇଛି। ଆକ୍ରମଣରେ ୧୮ ଡ୍ରୋନ୍‌, ୭ କ୍ରୁଜ୍‌ ମିଶାଇଲ ବ୍ୟବହାର କରାଯାଇଥିଲା। ପ୍ରମାଣ ସ୍ବରୂପ ସେଗୁଡ଼ିକର ଅଂଶବିଶେଷକୁ ପ୍ରଦର୍ଶନ କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରୁ ଦୁଇଟି ତୈଳ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରାଯାଇଥିଲା ତାହା ସ୍ପଷ୍ଟ କରିବା ପାଇଁ ତଦନ୍ତ ଚାଲିଛି ବୋଲି ସୌଦି ଆରବ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ତୁର୍କୀ ଅଲ୍‌-ମାଲିକି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଫୋନ୍‌ କରି ଏହାର ଅନ୍ତର୍ଜାତୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ଇରାନ ଉପରେ ୪୮ ଘଣ୍ଟା ମଧ୍ୟରେ ନୂଆ କଟକଣା ଜାରି କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି।

Share