ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ
କେତେଜଣ ଐତିହାସିକଙ୍କ ମତରେ ମହମ୍ମଦ ତୋଗଲକଙ୍କ ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ସ୍ଥାନାନ୍ତର କରିବାର ସିଦ୍ଧାନ୍ତ ଅନେକ ଦୃଷ୍ଟିରୁ ବିଜ୍ଞତାର ପରିଚାୟକ ଥିଲା। କାରଣ ଦିଲ୍ଲୀ ସର୍ବଦା ବୈଦେଶିକ ଆକ୍ରମଣକାରୀଙ୍କ ପାଇଁ ସହଜ ଲକ୍ଷ୍ୟ ଥିଲା। ତା’ଛଡ଼଼ା ଦଲତାବାଦ ସାମ୍ରାଜ୍ୟର ମଧ୍ୟସ୍ଥଳରେ ଥିବାରୁ ରାଜ୍ୟ ଶାସନ ନିମନ୍ତେ ଅଧିକ ଉପଯୋଗୀ ବିବେଚିତ ହୋଇଥିଲା। କିନ୍ତୁ ଦୌଲତାବାଦରୁ ପୁନର୍ବାର ଦିଲ୍ଲୀକୁ ରାଜଧାନୀ ଉଠାଇନେବାର ସିଦ୍ଧାନ୍ତ ଥିଲା ଅସ୍ଥିର ବୁଦ୍ଧିର ପରିଚାୟକ। କୌଣସି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରିବା ପୂର୍ବରୁ ତାହାର ବର୍ତ୍ତମାନ ଏବଂ ଭବିଷ୍ୟତ ପରିଣତି ତଥା ଶୁଭାଶୁଭ ପ୍ରତିକ୍ରିୟା ଇତ୍ୟାଦି ବିଚାରକରି ସିଦ୍ଧାନ୍ତ ଗ୍ରହଣ କରିବା ବିଜ୍ଞତାର ପରିଚାୟକ। ତେଣୁ କୁହାଯାଏ ‘ବୁଝି ବିଚାରୀ କାର୍ଯ୍ୟ କଲେ ପ୍ରମାଦ ନ ପଡ଼ଇ ଭଲେ’ା ଅନେକ ସମୟରେ ଦେଖାଯାଏ ଆମ ଦେଶରେ ଗୋଟିଏ ରାଜନୈତିକ ଦଳ ଶାସନ କ୍ଷମତାରେ ଥିବା ସମୟରେ ଯେଉଁ ସବୁ କାର୍ଯ୍ୟକ୍ରମ ଆରମ୍ଭ କରନ୍ତି ପରବର୍ତ୍ତୀ ସରକାର ଆସିଲେ ସେଗୁଡ଼ି଼କୁ ବନ୍ଦକରି ଦିଅନ୍ତି ଅଥବା ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରନ୍ତି ନାହିଁ, ଯାହା ଫଳରେ କୋଟି କୋଟି ଟଙ୍କା ପାଣିରେ ପଡି଼ଥାଏ।
ବହୁଦିନରୁ ପୈତୃକ ସମ୍ପତ୍ତିର ଭାଗ ବଣ୍ଟୁଆରା ଫଳରେ ଆମର ଚାଷଜମି ଗୁଡ଼ିକ ହିଡ଼ ସର୍ବସ୍ବ ଟୁକୁରା ଟୁକୁରା ଜମିରେ ପରିଣତ ହୋଇ ସାଧାରଣ କୃଷି ଉପଯୋଗିତା ହରାଇ ବସିଥିଲା। ଏପରି ଜମି ଦେଖାଯାଇଛି ଯେଉଁଥିରେ ଗୋଟିଏ ହଳ ମଧ୍ୟ ବୁଲି ପାରିବ ନାହିଁ। ଏହା ଉନ୍ନତ ମାନର ଯାନ୍ତ୍ରିକ କୃଷି ବ୍ୟବସ୍ଥାର ଘୋର ଅନ୍ତରାୟ ବୋଲି ଅନେକ ଅର୍ଥନୀତିଜ୍ଞ ମତବ୍ୟକ୍ତ କରନ୍ତିି। ଏ ସମସ୍ତ କଥା ବିଚାରକରି ବର୍ଷ ବର୍ଷ ମାପଚୁପ, ଅଦଳବଦଳ, ହିସାବନିକାଶ କରି କୋଟି କୋଟି ଟଙ୍କା ଖର୍ଚ୍ଚକରି ଚକବନ୍ଦୀ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ବିଭିନ୍ନ ସ୍ଥାନରେ ଟୁକୁରା ଟୁକୁରା ଜମିକୁ ଅନ୍ୟ ସହିତ ବଦଳ କରି ଜଣେ ଜମି ମାଲିକ ଗୋଟିଏ ସ୍ଥାନରେ ବଡ଼ ଜମିଟିଏ ପାଇଲେ, ଫଳରେ ଟ୍ରାକ୍ଟର, ପାୱାର ଟିଲର, କ୍ରପ୍ ହାର୍ଭେଷ୍ଟର ଇତ୍ୟାଦିର ଉପଯୋଗ ତଥା ଉପଯୁକ୍ତ ସାର, ବିହନ, ପୋକମରା ବିଷ ଇତ୍ୟାଦିର ପ୍ରୟୋଗ ଏବଂ ଉଠାଜଳସେଚନ ସୁବିଧା ହେତୁ ରାଜ୍ୟର କୃଷି ଉପତ୍ାଦନ ମଧ୍ୟ ବୃଦ୍ଧି ପାଇଲା। କିନ୍ତୁ ଏହାର ଏକ ବିଶେଷ ଅସୁବିଧା ହେଲା, ଲୋକମାନେ ନିଜ ପ୍ରୟୋଜନରେ ଜମିର କିଛି ଅଂଶ ବିକ୍ରୟକରି ଅର୍ଥର ଆବଶ୍ୟକତା ପୂରଣ କରି ନ ପାରି ହଇରାଣ ହେଲେ। ବିିଲ୍ଡରମାନଙ୍କ ପକ୍ଷରେ ମଧ୍ୟ ଅବାଧରେ ଚାଷଜମି କିଣି ଆପାର୍ଟମେଣ୍ଟ ବନେଇବାରେ ଅସୁବିଧା ହେଲା। କାରଣ ଓଡ଼ିଶା ଚକବନ୍ଦୀ ଅଧିନିୟମ, ୧୯୭୨ର ଧାରା ୩୪(୧)ରେ କୁହାଯାଇଛି – କୌଣସି ଅଞ୍ଚଳର କୌଣସି କୃଷି ଉପଯୋଗୀ ଜମି ଭାଗହୋଇ ଟୁକୁରା ଟୁକୁରା ହୋଇପାରିବ ନାହିଁ। ଧାରା ୩୪(୨) ରେ କୁହାଯାଇଛି – ଚକଜମିର କୌଣସି ଅଂଶ କେବଳ ପାର୍ଶ୍ୱସ୍ଥ ଚକ ମାଲିକ ବ୍ୟତୀତ ଆଉ କାହାରିକୁ ବିକ୍ରୟ ବା ହସ୍ତାନ୍ତର ହୋଇପାରିବ ନାହିଁ। ଧାରା ୩୪(୩) ରେ କୁହାଯାଇଛି କୌଣସି ବ୍ୟକ୍ତି ନିଜ ଚକଜମିର କୌଣସି ଅଂଶ ବିକ୍ରୟ ବା ହସ୍ତାନ୍ତର କରିବାକୁ ଚାହିଁଲେ ସମ୍ପୃକ୍ତ ତହସିଲଦାରଙ୍କୁ ଦରଖାସ୍ତ କରିବେ ଏବଂ ତହସିଲଦାର ଦରଖାସ୍ତ ପାଇବାର ୪୫ ଦିନ ମଧ୍ୟରେ ଉକ୍ତ ଜମିର ପ୍ରଚଳିତ ମୂଲ୍ୟ ନିର୍ଦ୍ଧାରଣକରି ପାର୍ଶ୍ୱସ୍ଥ ଚକମାଲିକମାନଙ୍କୁ ନିଲାମ ମାଧ୍ୟମରେ ତାହା ବିକ୍ରୟ କରିଦେବାର ବନ୍ଦୋବସ୍ତ କରିବେ। ଧାରା ୩୪(୪) ରେ କୁହାଯାଇଛି ଯଦି ନିଲାମ ମାଧ୍ୟମରେ ଉକ୍ତ ବିଭାଜିତ ଅଂଶ ବିକ୍ରୟହୋଇ ନ ପାରେ ତେବେ ରାଜ୍ୟ ସରକାର ସେହି ଅଂଶକୁ ତହସିଲଦାରଙ୍କ ଦ୍ୱାରା ସ୍ଥିରୀକୃତ ବଜାର ଦରରେ କ୍ରୟକରି ନିଜ ଅକ୍ତିଆରରେ ରଖିବେ। ଅଧିନିୟମର ୩୫ ଧାରାରେ କୁହାଯାଇଛି ଧାରା ୩୪କୁ ଉଲ୍ଲଂଘନ କରି ଯଦି କୌଣସି ଜମି ବିକ୍ରି ଅଥବା ବିଭାଜିତ ହୋଇଥାଏ ତାହା ଅବୈଧ ହେବ।
ମୋଟ କଥା ଚକଜମିର ବିଭାଜୀକରଣ ଏବଂ ବିଖଣ୍ଡୀକରଣକୁ ସମ୍ପୂର୍ଣ୍ଣ ନିଷିଦ୍ଧକରି ରାଜ୍ୟର କୃଷିର ସ୍ବାର୍ଥଦୃଷ୍ଟିରୁ ସମସ୍ତ ଚକଜମିକୁ ଅକ୍ଷୁଣ୍ଣ ରଖିବାର ବ୍ୟବସ୍ଥା ଆଇନରେ ଲିପିବଦ୍ଧ ହୋଇଛି। ସେଥିସହ ଜମି ମାଲିକମାନଙ୍କର ସ୍ବାର୍ଥରକ୍ଷା ଏବଂ ଅସୁବିଧା ଦୂରକରିବା ନିମନ୍ତେ ଧାରା ୩୪(୩) ଏବଂ ଧାରା ୩୪(୪)ରେ ଅନେକ ବିକଳ୍ପ ବ୍ୟବସ୍ଥା ଉପଲବ୍ଧ । କିନ୍ତୁ ଜନସାଧାରଣଙ୍କର ସମ୍ପତ୍ତି ଅଧିକାର କ୍ଷୁଣ୍ଣ ହେବା ତଥା ନାନା ଅସୁବିଧା ଏବଂ ବିଶେଷକରି ବିଲ୍ଡରମାନଙ୍କ କୃଷିଜମି ଅଧିଗ୍ରହଣ କରିବାର ପ୍ରତିବନ୍ଧକ ଦୂରକରିବା ନିମନ୍ତେ ୨୯ା୦୫ା୨୩ରେ କ୍ୟାବିନେଟ୍ ବୈଠକରେ ସରକାର ଚକବନ୍ଦୀ ଅଧିନିୟମର ୩୪ ଏବଂ ୩୫ ଧାରାକୁ ଉଚ୍ଛେଦ କରିଛନ୍ତି। ଫଳରେ ଜମି ମାଲିକ ମାନେ ଚକଜମି ବିକ୍ରି ଅଥବା ବିଭାଜନ କରିପାରିବେ। ଏହାଦ୍ୱାରା ସେହି ‘ପୁନର୍ମୂଷିକ ଭବ’ ଭଳି ଅବସ୍ଥା ସୃଷ୍ଟିହେବ। ଜମିଗୁଡ଼ିକ ପୁନର୍ବାର ଖଣ୍ଡ ଖଣ୍ଡ ହୋଇ କୃଷି ଉପଯୋଗିତା ହରାଇବ। ବିଲ୍ଡରମାନେ ସହରାଞ୍ଚଳର ୫୦ କି.ମି. ମଧ୍ୟରେ କୌଣସି ଚାଷଜମି ରଖାଇ ଦେବେ ନାହିଁ। ୨ ଏକର ଚକ ଜମି ୪ ପୁଅଝିଅଙ୍କ ମଧ୍ୟରେ ଭାଗହୋଇ ୫୦ ଡିସିମିଲ ଲେଖା ହେବ ଏବଂ ପୁଣି ପରବର୍ତ୍ତୀ ବଂଶଧରମାନେ ତାହାକୁ ଆହୁରି ବିଭାଜିତକରି ୫ ଡିସିମିଲରେ ପହଞ୍ଚାଇ ଦେବେ। କୁହାଯାଉଛି ଏହାଦ୍ୱାରା ଜମି ରେଜେଷ୍ଟ୍ରି ଶୁଳ୍କ ଏବଂ ଅନ୍ୟାନ୍ୟ ଶୁଳ୍କର ବୃଦ୍ଧି ଘଟି ସରକାରଙ୍କର