ତୋଷାଳି ଛକରେ ଫାଙ୍କା ଗୁଳିଚାଳନା

ପୁରୀ ଅଫିସ,୨୩ା୧: ପୁରୀରେ ପୁଣି ଫୁଟିଛି ଗୁଳି। ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡର ହୋଟେଲ ତୋଷାଳି ଛକ ନିକଟରେ ବୁଧବାର ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଛନ୍ତି। ଏ ନେଇ ପୋଲିସ ନିଜଆଡ଼ୁ ଏକ ମାମଲା ନଂ.୨/୨୦ ରୁଜୁ କରିଛି। ଏହାସହ ପୋଲିସ ଘଟଣାସ୍ଥଳରୁ ୨ ଗୁଳି ଓ ୩ ଖୋକା ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନ ୧୦ଟା ସମୟରେ କେତେଜଣ ଯୁବକ ବାଇକରେ ଆସି ତୋଷାଳି ଛକଠାରେ ଅଟକିଥିଲେ। କେହି କିଛି ବୁଝିବା ପୂର୍ବରୁ ଯୁବକମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ପ୍ରଚଣ୍ଡ ଗୁଳି ଶବ୍ଦରେ ଥରି ଉଠିଥିଲା ଛକ ଆଖପାଖ। ଅଚାନକ ଏଭଳି ଗୁଳି ଶବ୍ଦ ଶୁଣି ଛକରେ ଉପସ୍ଥିତ ଥିବା ଲୋକେ ସବୁ ଛତ୍ରଭଙ୍ଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ଭୟରେ କେହି ବାହରକୁ ବାହାରି ନ ଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗୁଳି ଓ ଖୋକା ଜବତ କରିବା ସହ ତନାଘନା ଆରମ୍ଭ କରିଛି। ତେବେ ଦୁର୍ବୃତ୍ତମାନେ କାହା ଉପରେ ଗୁଳିଚାଳନା କରି ନ ଥିବାବେଳେ ସେମାନେ ମଇନପୁର ଗ୍ରାମର ବୋଲି ଜଣାପଡ଼ିଛି। ଅନ୍ୟପଟେ ଉକ୍ତ ଅଞ୍ଚଳରେ ଦୁର୍ବୃତ୍ତମାନେ ଲୋକଙ୍କୁ ଭୟଭୀତ କରିବା ସହ ନିଜ ନିଜ ପତିଆରା ଜମାଇବା ଉଦ୍ଦେଶ୍ୟରେ ଗୁଳି ଚାଳନା କରିଥିବା ଚର୍ଚ୍ଚା ହେଉଛି। ତେବେ ଦୁର୍ବୃତ୍ତମାନେ କାହାକୁ ହତ୍ୟା କରିବା କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟ ନେଇ ଗୁଳି ଚାଳନା କରିଛନ୍ତି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Share