ତ୍ରିପାକ୍ଷିକ ଆଲୋଚନା ପରେ ସଫେଇ କର୍ମଚାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ

ବାଲେଶ୍ୱର ଅଫିସ, ୩୦।୭-ବାଲେଶ୍ୱର ପୌର ଠିକା ସଫେଇ କର୍ମଚାରୀମାନଙ୍କର ଗତ ୨୫ତାରିଖଠାରୁ ଚାଲିଥିବା ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ମଙ୍ଗଳବାର ସହରରେ ସଫେଇ କାର୍ଯ୍ୟ ସ୍ବାଭାବିକ ଚାଲିଥିବା ଦେଖାଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଅପରାହ୍ନରେ ଜିଲାପାଳଙ୍କ ଡିଭିଜନାଲ୍‌ ଶ୍ରମ କମିଶନର ଘାସିରାମ ଟୁଡୁଙ୍କ ମଧ୍ୟସ୍ଥତାରେ ତ୍ରିପାକ୍ଷିକ ଆଲୋଚନାର ନିଷ୍ପତ୍ତିକ୍ରମେ ଧର୍ମଘଟରେ ସାମିଲ ଥିବା ୩ଶହରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ତ୍ରିପାକ୍ଷିକ ଆଲୋଚନାର ସର୍ତ୍ତ ଅନୁଯାୟୀ ଠିକାଦାର ଗତ ୨୦୧୫ ମସିହାଠାରୁ ଶ୍ରମିକମାନଙ୍କର ଦାଖଲ ହୋଇ ନ ଥିବା ପିଏଫ୍‌ ଏବଂ ଇଏସ୍‌ଆଇ ବାବଦରେ ସମସ୍ତ ଟଙ୍କା ଆସନ୍ତା ୧ ମାସ ମଧ୍ୟରେ ଦାଖଲ କରିବେ। ସମସ୍ତ ଠିକା କର୍ମଚାରୀଙ୍କୁ ବ୍ୟାଙ୍କ ଜରିଆରେ ମାସିକଦେୟ ପ୍ରଦାନ କରାଯିବ। ମାସିକ ମଜୁରି ପ୍ରଦାନ ପୂର୍ବରୁ ଠିକା କର୍ମଚାରୀମାନଙ୍କୁ ମଞ୍ଜୁରୀ ଚିଠା ପ୍ରଦାନ କରାଯିବାକୁ ଉଭୟପକ୍ଷ ସମ୍ମତି ଜଣାଇଛନ୍ତି। ସୋମବାର ଅପରାହ୍ନ ଆଲୋଚନାରେ ପୌରପରିଷଦ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ.ଚିତ୍ରସେନ ରାଉତ, ଇଂ. ପ୍ରଦୀପ ନାୟକ, ଇଏମ୍‌ଆଇ. ମ୍ୟାନେଜର ଅନନ୍ତ କୁମାର ସୋରେନ୍‌, ସଫେଇ କର୍ମଚାରୀଙ୍କ ପ୍ରତିନିଧି ରତ୍ନାକର ବେହେରା, ରାମ ବେହେରା, ରାଜେଶ ନାଏକ, ମୁନା ବେହେରା, ଭଗିରଥ ବେହେରା, ଠିକାଦାର ନାରାୟଣ ଚନ୍ଦ୍ର ଜେନା, ଆଇନଜୀବୀ ଲକ୍ଷ୍ମଣ ବେହେରା, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଭାଗବତ ପ୍ରତିହାରୀ ଓ ଜିଲା ଶ୍ରମ ଅଧିକାରୀ କୁବେର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।