ତ୍ରିପୁରାରେ ମୋବାଇଲ୍‌ ଜରିଆରେ ହେବ ଅନ୍‌ଲାଇନ ପାଠପଢ଼ା

ଅଗରତାଲା,୨୨।୬: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ କେତେକ ରାଜ୍ୟ ଅନ୍‌ଲାଇନରେ ଶିକ୍ଷା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ଏବେ ତ୍ରିପୁରା ସରକାର ମଧ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଏକ ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତିି। ଗତ ମାର୍ଚ୍ଚରୁ ଲକ୍‌ଡାଉନ ଘୋଷଣା ହେବା ପରେ କେବେ ସ୍କୁଲ ଖୋଲିବ ସେନେଇ ଅନିଶ୍ଚିତତା ରହିଛି। ତେଣୁ ତ୍ରିପୁରାରେ ‘ଏକ୍‌ଟୁ ଖେଲୋ, ଏକୁଟୁ ପଢ଼ୋ’ ନାମକ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ଜୁନ ୨୫ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ମୋବାଇଲରେ ଅନ୍‌ଲାଇନ ଶିକ୍ଷାଦାନ ଦିଆଯିବ ବୋଲି ଶିକ୍ଷାମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି। ରାଜ୍ୟରେ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ କିମ୍ବା କେବୁଲ ଟିଭି ନେଟଓ୍ବାର୍କ ଉପଲବ୍ଧ ନ ଥିଲେ ମଧ୍ୟ ସବୁ ଲୋକଙ୍କ ପାଖରେ ଫୋନ ରହିଛି। ତେଣୁ ଯେଉଁମାନଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି ସେମାନେ ହ୍ବାଟସ୍‌ ଆପ୍‌ ଓ ଅନ୍ୟମାନଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଶିକ୍ଷାଦାନ କରାଯିବ ବୋଲି ରତନ ଲାଲ ସୂଚନା ଦେଇଛନ୍ତି। ପ୍ରତିଦିନ ସକାଳେ ପିଲାଙ୍କୁ ପାଠପଢ଼ା ଓ ହୋମ୍‌ ଓ୍ବାର୍କ ଦିଆଯିବାକୁ ଥିବା ବେଳେ ଦ୍ୱିପ୍ରହରରେ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ମତାମତ ନିଆଯିବ। ଏଥିପାଇଁ ସମସ୍ତ ଜିଲାର ଶିକ୍ଷୟତ୍ରୀ ଓ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।

Share