ହାଇଦ୍ରାବାଦ,୧୧।୧: କିଛି ଦିନରୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ଦେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ବିରୋଧ କରି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ରାଜରାସ୍ତାକୁ ଓହ୍ଲାଉଥିବା ନଜର ଆସିଛି। ଇତିମଧ୍ୟରେ ଶୁକ୍ରବାର ଏଆଇଏମ୍ଆଇଏମ୍ର ମୁଖ୍ୟ ତଥା ହାଇଦ୍ରାବାଦର ଏମ୍ପି ଅସଦୁଦ୍ଦିନ ଓଓ୍ବାଇସି ସିଏଏକୁ ବିରୋଧ କରି ଏକ ତ୍ରିରଙ୍ଗା ଯାତ୍ରା ବାହାର କରିଥିଲେ। ସେହି ସମୟରେ ହଜାର ହଜାର ସଂଖ୍ୟାରେ ଗାଡ଼ିମଟର ଜମା ହୋଇ ରାସ୍ତାରେ ଭିଡ଼ ଜମିଯାଇଥିଲା। ଏହାକୁ ଦେଖି ଓଓ୍ବାଇସି ନିଜେ ରାସ୍ତା ଉପରେ ଠିଆ ହୋଇ ଟ୍ରାଫିକ୍ କଣ୍ଟ୍ରୋଲ କରିଥିବା ଦେଖିବାକୁ ମିଳିଥିଲା। ଏଥିସହ ସେ ଏହି ଭିଡରୁ ଲୋକଙ୍କୁ ବଞ୍ଚାଇଥିଲେ। ଏହାଦ୍ୱାରା ଗୋଟିଏ ପଟେ ତାଙ୍କର ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଲୋକଙ୍କୁ ଟ୍ରାଫିକ୍ ଭିଡ଼ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ି ନ ଥିଲା।