Categories: ଖେଳ

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)-  ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଭାରତ ୧-୨ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରିଛି। ତ୍ରିରାଷ୍ଟ୍ରୀୟରେ ଭାରତର ଏହାଥିଲା ପ୍ରଥମ ପରାଜୟ। ଦଳ ମୋଟ ୪ ମ୍ୟାଚ୍‌ ଖେଳି ୭ ପଏଣ୍ଟ ପାଇଛି। ଅଷ୍ଟ୍ରେଲିଆ ସମାନ ପଏଣ୍ଟ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଭାରତ ବାଜି ମାରିଛି। ୩ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ୩ୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ପ୍ରତିଯୋଗିତାରେ ଭାରତ ଏହାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ହରାଇଥିବାବେଳେ ଅଷ୍ଟ୍ରେଲିଆ ସହିତ ୧-୧ରେ ମ୍ୟାଚ ଡ୍ର ରଖିଥିଲା। ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪-୧ ଗୋଲରେ ହରାଇ ଟାଇଟଲ ଫେଭରାଇଟ ହୋଇ ଯାଇଥିଲା। ଅନ୍ୟ ପକ୍ଷରେ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୧-୩ ଗୋଲରେ ହାରିଥିବା ଅଷ୍ଟ୍ରେଲିଆ ଭାରତ ବିପକ୍ଷ ମ୍ୟାଚକୁ ଡ୍ର ରଖିବାପରେ ନ୍ୟୁଜିଲାଣ୍ଡକୁ ୩-୧ ଗୋଲରେ ହରାଇଥିଲା।
ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଗଗନଦୀପ କୌର ଭାରତ ପାଇଁ ଏକମାତ୍ର ଗୋଲ ଦେଇଥିଲେ। ଘରୋଇ ଅଷ୍ଟ୍ରେଲିଆ ପକ୍ଷରୁ ଆବିଗେଲ ଓ୍ବିଲସନ ଡବଲ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ଦଳ ପୂରା ଚାପରେ ରହିଥିଲା। ଘରୋଇ ଦଳକୁ ୧୫ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟ କର୍ନରକୁ ଆବିଗେଲ ଓ୍ବିଲସନ ଗୋଲରେ ପରିଣତ କରିଥିଲେ। ଏହାକୁ ପରିଶୋଧ କରିବା ଲାଗି ଭାରତୀୟ ଦଳକୁ ଦ୍ୱିତୀୟ କ୍ୱାର୍ଟରରେ ପେନାଲ୍ଟି କର୍ନର ଜରିଆରେ ଦୁଇଟି ସୁଯୋଗ ମିଳିଥିଲା। ମାତ୍ର ଉଭୟ ଫଳ ଶୂନ୍ୟ ରହିଥିଲା। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ବହୁ ସୁଯୋଗ ହାତଛଡ଼ା କରିଥିଲେ। କିନ୍ତୁ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଭାରତୀୟ ଦଳର ଆକ୍ରମଣାତ୍ମକ ପ୍ରଦର୍ଶନ ଯୋଗୁ ଘରୋଇ ଅଷ୍ଟେଲିଆ ଦଳ ଚାପର ବଶବର୍ତ୍ତୀ ହୋଇ ତ୍ରୁଟି କରିଥିଲା। ଫଳରେ ୫୩ତମ ମିନିଟ୍‌ରେ ଭାରତକୁ ମିଳିଥିଲା ପେନାଲ୍ଟି କର୍ନର, ଯାହାର ଫାଇଦା ଉଠାଇ ଗଗନଦୀପ ସ୍କୋର କରି ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ। ମାତ୍ର ୩ ମିନିଟ୍‌ ପରେ ଆବିଗେଲ ମ୍ୟାଚ୍‌ର ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏହାପରେ ଭାରତୀୟ ଖେଳାଳିଙ୍କ ବହୁ ପ୍ରୟାସ ସତ୍ତ୍ୱେ ସ୍କୋର ଲାଇନ ଉପରେ କୌଣସି ପ୍ରଭାପ ପଡ଼ି ନ ଥିଲା।

Share