Categories: ଖେଳ

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌: ହରମନପ୍ରୀତ, ବୋଲରଙ୍କ ଦମ୍‌ରେ ଜିତିଲା ଭାରତ

କାନବେରା,୩୧।୧- ଭାରତୀୟ ମହିଳା ଦଳ ଚଳିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବୋଲରଙ୍କ ଜବରଦସ୍ତ ବୋଲିଂ ଓ ପରେ ଅଧିନାୟିକା ହରମନପ୍ରୀତ କୌରଙ୍କ ଅପରାଜିତ ୪୨ ରନ୍‌ର ଇନିଂସ ବଳରେ ଭାରତ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଆସନ୍ତା ୨ ତାରିଖରେ ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ।
ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୪୭ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟିକା ହେଥର ନାଇଟ ୪୪ ବଲରେ ୬୭ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଟାମି ବେମାଉଣ୍ଟ ୩୭ ଓ ନାଟଲିଆ ସ୍କିଭର ୨୦ ରନ୍‌ କରିଥିଲେ। ଭାରତୀୟ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ(୨/୧୯), ଦୀପ୍ତି ଶର୍ମା (୨/୩୦) ଓ ବାମହାତୀ ରାଧା ଯାଦବ (୧/୩୩) ମିଳିତ ଭାବେ ୫ ଉଇକେଟ ନେଇଥିବାବେଳେ ମିଡିୟମ ପେସର ଶିକ୍ଷା ପାଣ୍ଡେ ୨ ଉଇକେଟ ଅଧିକାର କରିଥିଲେ। ଜବାବରେ ୧୫ ବର୍ଷୀୟା ଶେଫାଳୀ ବର୍ମା (୩୦), ସ୍ମୃତି ମନ୍ଧାନା (୧୫) ଓ ଜେମିମା ରୋଡ୍ରିଗୁଏଜ (୨୬) ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ବେଦ କ୍ରିଷ୍ଣମୂର୍ତ୍ତି (୭) ଓ ତାନିୟା ଭାଟିଆ (୧) କ୍ରିଜରେ ଅଧିକ ସମୟ ତିଷ୍ଠିବାରେ ବିଫଳ ହୋଇଥିଲେ। ଅନ୍ତିମ ଓଭରରେ ଭାରତୀୟ ଦଳକୁ ଜିତିବା ପାଇଁ ୬ ରନ୍‌ ଦରକାର ଥିଲା। କିନ୍ତୁ ଅଧିନାୟିକା ହରମନପ୍ରୀତଙ୍କ ଛକା ଯୋଗୁ ଟିମ୍‌ ଇଣ୍ଡିଆ ୩ ବଲ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ଭାରତ ୧୯.୩ ଓଭରରେ ୫ ଉଇକେଟ ହରାଇ ୧୫୦ ରନ୍‌ କରିଥିଲା।

Share