Categories: ଖେଳ

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦: ହାରିଲା ଭାରତ

କାନବେରା,୨।୨(ପି.ଟି.)- ଚଳିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ରେ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪ ଉଇକେଟରେ ଭାରତକୁ ହରାଇ ଦେଇଛି। ଆସନ୍ତା ୭ ତାରିଖରେ ଭାରତୀୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଇଂଲଣ୍ଡକୁ ମେଲବୋର୍ନଠାରେ ଭେଟିବ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେବାରୁ ଧାର୍ଯ୍ୟ ୨୦ ଓଭରରେ ୯ ଉଇକେଟ ହରାଇ ୧୦୩ ରନ୍‌ କରିଥିଲା। ଦୁଇ ସିନିୟର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା (୩୫), ଅଧିନାୟିକା ହରମନପ୍ରୀତ କୌର (୨୮) ଓ ରାଧା ଯାଦବ (୧୧)ଙ୍କୁ ଛାଡ଼ି ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଏଲିସେ ପେରି ୪ ଉଇକେଟ ଅକ୍ତିଆର କରିଥିଲେ। ୧୦୪ ରନ୍‌ର ଛୋଟିଆ ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମଧ୍ୟ ୩୦ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ଥିଲା। କିନ୍ତୁ ପେରିଙ୍କ ୪୯ ରନ୍‌ର ଇନିଂସ ଯୋଗୁ ଘରୋଇ ଦଳ ୧୮.୫ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତୀୟ ଦଳ ପାଇଁ ରାଜେଶ୍ୱରୀ ଗାଏକ୍ୱାଡ ୨ ଉଇକେଟ ହାତେଇଥିବାବେଳେ ଦୀପ୍ତି ଶର୍ମା, ଶିକ୍ଷା ପାଣ୍ଡେ, ରାଧା ଯାଦବ ଓ ଅରୁନ୍ଧତି ରେଡ୍ଡୀ ପ୍ରତ୍ୟେକେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ବିଜୟୀ ଦଳ ପାଇଁ ଉଭୟ ବଲ ଓ ବ୍ୟାଟରେ ଭଲ ପ୍ରଦର୍ଶନ କରିଥିବା ପେରିଙ୍କୁ ଫ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

Share