Categories: ଖେଳ

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ସିରିଜ: ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ

ମେଲବୋର୍ନ,୯।୨- ଚଳିତ ତ୍ରିରାଷ୍ଟ୍ରୀୟ ସିରିଜ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୬ ରନ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ଫଳରେ ଭାରତ ଫାଇନାଲରେ ପ୍ରବେଶ କରିଛି। ଟିମ୍‌ ଇଣ୍ଡିଆ ୪ ମ୍ୟାଚ୍‌ରୁ ୨ ଜିତିଥିବାବେଳେ ସମାନ ସଂଖ୍ୟକ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ସିରିଜର ଫାଇନାଲ ମ୍ୟାଚ୍‌ ୧୨ ତାରିଖରେ ଜଙ୍କଶନ ଓଭାଲଠାରେ ଖେଳାଯିବ।
ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୩୨ ରନ୍‌ କରିଥିଲା। ଦଳ ପାଇଁ ବେଥ ମୁନି ୫୦ ଓ ରାଚେଲ ହାଇନେସ ୨୪ ରନ୍‌ କରିଥିଲେ। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ସୋଫି ଇକଲେଷ୍ଟୋନ ଓ ସାରା ଗ୍ଲେନ ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ। ଜବାବରେ ଇଂଲଣ୍ଡ ଶେଷ ପର୍ଯ୍ୟନ୍ତ ଖେଳି ୭ ଉଇକେଟ ହରାଇ ୧୧୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ କାଥରିନ ବ୍ରୁଣ୍ଟ ଓ ଲୌରେନ ଓ୍ବିନଫିଲ୍ଡ ୨୩ ଲେଖାଏ ରନ୍‌ ଯୋଗଦାନ ଦେଇଥିଲେ। ବିଜୟୀ ଦଳ ପକ୍ଷରୁ ସୋଫି ମଲିନେକ୍ସ ୩ ଓ ତାଲିଆ ଭ୍ଲାମିଙ୍କ ୨ ଉଇକେଟ ହାତେଇଥିଲେ। ବିଜୟୀ ଦଳ ଲାଗି ସଫଳ ବୋଲର ମଲିନେକ୍ସଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

Share