Categories: ଖେଳ

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌: ଫାଇନାଲରେ ହାରିଲା ଭାରତ

ମେଲବୋର୍ନ,୧୨।୨(ପି.ଟି.)- ଓପ୍‌ନର ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବେକାର ସାବ୍ୟସ୍ତ ହୋଇଛି। ଏଠାରେ ବୁଧବାର ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ ଫାଇନାଲରେ ଅଷ୍ଟ୍ରେଲିଆ ୧୧ ରନ୍‌ରେ ଭାରତକୁ ହରାଇ ଚାମ୍ପିୟନ ହୋଇଛି। ୧୫୬ ରନ୍‌ ଟାର୍ଗେଟର ପିଛା କରୁଥିବା ଭାରତୀୟ ମହିଳା ଦଳ ୧୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଚାମ୍ପିୟନ ଦଳ ପାଇଁ ୫ ଉଇକେଟ ସଫଳତା ପାଇଥିବା ବାମହାତୀ ସ୍ପିନର ଜେସ ଜୋନାସେନଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ବେଥ ମୁନିଙ୍କୁ ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ କରାଯାଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୫ ରନ୍‌ କରିଥିଲା। ଟିମ୍‌ ଇଣ୍ଡିଆ ଅନ୍ତିମ ଓଭରରେ ୧୯ ରନ୍‌ ବ୍ୟୟ କରିଥିଲା, ଯାହାକି ପରାଜୟର ମୂଳ କାରଣ ଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ବେଥ ମୁନି ୭୧ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ବ୍ୟତୀତ ଆଶଲେ ଗାର୍ଡନର ଓ ଅଧିନାୟିକା ମେଗ ଲାନ୍ନିଂ ୨୬ ଲେଖାଏ ରନ୍‌ କରିଥିଲେ। ଭାରତୀୟ ଦଳ ପକ୍ଷରୁ ଦୀପ୍ତି ଶର୍ମା ଓ ରାଜେଶ୍ୱରୀ ଗାଏକ୍ୱାଡ ୨ଟି ଲେଖାଏ ଉଇକେଟ ନେଇଥିଲେ। ରାଧା ଯାଦବ ଓ ଅରୁନ୍ଧତୀ ରେଡ୍ଡୀ ପ୍ରତ୍ୟେକେ ୧ଟି ଉଇକେଟ ହାତେଇଥିଲେ। ଜବାବରେ ଟିମ୍‌ ଇଣ୍ଡିଆ ଆରମ୍ଭରୁ ଶେଫାଳି ବର୍ମା (୧୦)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ଓପ୍‌ନର ମନ୍ଧାନା ୩୭ ବଲରେ ୬୬ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ଥିଲା ୧୨ ଚୌକା। ଏଥିଯୋଗୁ ଭାରତୀୟ ଦଳ ୧୪.୧ ଓଭର ପର୍ଯ୍ୟନ୍ତ ୩ ଉଇକେଟ ହରାଇ ୧୧୧ ରନ୍‌ କରିଥିଲା। ସେତେବେଳେ ଦଳକୁ ଜିତିବା ପାଇଁ ୩୫ ବଲରେ ୪୪ ରନ୍‌ ଦରକାର ଥିଲା। କିନ୍ତୁ ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଷଆଡ଼କୁ ତାନିଆ ଭାଟିଆ (୧୧) କିଛି ଚେଷ୍ଟା କରିଥିଲେ। କିନ୍ତୁ ତାହା ଫଳପ୍ରଦ ହୋଇ ନ ଥିଲା। ଫଳରେ ଦଳ ଶେଷ ପର୍ଯ୍ୟନ୍ତ ଖେଳି ୧୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ଦଳ- ୨୦ ଓଭରରେ ୧୫୫/୬(ବେଥ ମୁନି ୭୧*, ଆଶଲେ ଗାର୍ଡନର ୨୬, ମେଗ ଲାନ୍ନିଂ ୨୬, ଦୀପ୍ତି ଶର୍ମା ୨/୩୦, ରାଜେଶ୍ୱରୀ ଗାଏକ୍ୱାଡ ୨/୩୨)।
ଭାରତୀୟ ଦଳ- ୨୦ ଓଭରରେ ୧୪୪/୧୦ (ସ୍ମୃତି ମନ୍ଧାନା ୬୬, ରିଚା ଘୋଷ ୧୭, ହରମନପ୍ରୀତ କୌର ୧୪, ଜେସ ଜୋନାସେନ ୫/୧୨, ତାଲା ଭ୍ଲାମିଙ୍କ ୨/୩୨)।

Share