ତ୍ରିସ୍ତରୀୟ ସମବାୟ ଋଣ ପରିଶୋଧ ଅବଧି ବଢ଼ି ୧୨ ମାସ ହେଲା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ସ୍ବଳ୍ପମିଆଦୀ ତ୍ରିସ୍ତରୀୟ ସମବାୟ ଋଣ ଉଠାଣ ଓ ପରିଶୋଧର ସମୟସୀମା ବୃଦ୍ଧି କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ଏହି ଋଣ ଉଠାଣ ଓ ପରିଶୋଧର ସମୟସୀମା ୧୨ ମାସ ଧାର୍ଯ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷ ମାର୍ଚ୍ଚ ୨୦୨୦ରୁ ଏହା କାର୍ଯ୍ୟକାରୀ ହେବ। ରାଜ୍ୟରେ ସ୍ବଳ୍ପମିଆଦୀ ତ୍ରିସ୍ତରୀୟ ସମବାୟ ଋଣ ବ୍ୟବସ୍ଥା ଅନୁଯାୟୀ ସ୍ବଳ୍ପକାଳୀନ ଫସଲ ଋଣ କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ପ୍ରଦାନ କରାଯାଉଛି। ପୂର୍ବରୁ ଏହି ଫସଲ ଋଣ ପରିଶୋଧ କରିବା ନିମନ୍ତେ ଖରିଫ ଚାଷ ପାଇଁ ୬ରୁ ୧୧ମାସ ଓ ରବି ଚାଷ ପାଇଁ ୩ରୁ ୯ମାସ ପର୍ଯ୍ୟନ୍ତ ସମୟ ଥିଲା। ପୂର୍ବ ବ୍ୟବସ୍ଥାରେ ଏହି ଫସଲ ଋଣ ପରିଶୋଧ କରିବାର ଶେଷ ତାରିଖ ଖରିଫ ଋତୁ ପାଇଁ ମାର୍ଚ୍ଚ ୨୫ ତାରିଖ ଏବଂ ରବି ଋତୁ ପାଇଁ ଶେଷ ତାରିଖ ଜୁନ୍‌ ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ଖରିଫ ଓ ରବି ଋତୁରେ ସ୍ବଳ୍ପକାଳୀନ ଫସଲ ଯଥା-ଧାନ, ଚିନାବାଦାମ, ସୋରିଷ, ଅଦା, ହଳଦୀ, ମକା ଇତ୍ୟାଦି ଫସଲ ଋଣ ଉଠାଣ ଓ ପରିଶୋଧ ସମୟସୀମା ୧୨ମାସ ଧାର୍ଯ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଏପ୍ରିଲ ୪ତାରିଖରୁ ଖରିଫ ଓ ରବି ଋତୁରେ ଫସଲ ଋଣ ପାଇଁ ଏହା କାର୍ଯ୍ୟକାରୀ ହେବ। ତେବେ ପୂର୍ବପରି ଦୀର୍ଘମିଆଦୀ ଫସଲ ଋଣ ତଥା କଦଳୀ ଓ ଆଖୁଚାଷ ପାଇଁ ଋଣ ପରିଶୋଧ ସମୟସୀମା ୧୮ମାସ ରଖାଯାଇଛି। ଏହାଦ୍ୱାରା ସମବାୟ ବ୍ୟାଙ୍କ ଜରିଆରେ କୃଷି ଋଣ ପାଇଁ ମିଳୁଥିବା ପୁନଃବିତ୍ତ(ରିଫାଇନାନ୍ସ)ର ଅବଧି ଓ ଚାଷୀମାନଙ୍କ ପାଇଁ ଥିବା ଋଣ ପରିଶୋଧର ସମୟସୀମା ସମାନ ରହିବ ଏବଂ ପୂର୍ବାପେକ୍ଷା ଫସଲ ଋଣ ପରିଶୋଧ ପାଇଁ ଅଧିକ ସମୟସୀମା ରହିବ।

Share