ତ୍ରିସ୍ତରୀୟ ସୁରକ୍ଷାରେ ବିଧାନସଭା

ଭୁବନେଶ୍ୱର,୧୪।୨(ବ୍ୟୁରେ): ଶୁକ୍ରବାରଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର କମିଶନରେଟ ପୋଲିସ ଓ ଗୋଇନ୍ଦା ବିଭାଗ ପକ୍ଷରୁ ୨ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ଡିଜିପିି ଅଭୟ, ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍‌ ମହାନ୍ତି ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ବିଧାନସଭା ପରିସରରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ଦାୟିତ୍ୱରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସୁରକ୍ଷା ସଂକ୍ରାନ୍ତ ରିହର୍ସାଲ କରାଯାଇଥିଲା। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ପୂର୍ବାହ୍ନ ୧୦ଟା ୩୦ରେ ଗାର୍ଡ ଅଫ୍‌ ଅନର ଦିଆଯିବ। ତେଣୁ ଏହା ଉପରେ ପୂର୍ବାଭ୍ୟାସ ମଧ୍ୟ କରାଯାଇଥିଲା। ରିହର୍ସାଲ ସମୟରେ ପୋଲିସ କମିଶନର ଷଡ଼ଙ୍ଗୀ ଗାର୍ଡ ଅଫ୍‌ ଅନର ଅଭ୍ୟାସ କରୁଥିବା ପୋଲିସ କର୍ମଚାରୀଙ୍କ ତ୍ରୁଟି ଧରିବା ସହ ଠିକ୍‌ କରି ଦେଖାଇଥିଲେ। ସେହିଭଳି ବିଧାନସଭା ଭିତରେ ଓ ବାହାରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ଏବଂ ସନ୍ଧାନୀ କୁକୁର ଦ୍ୱାରା ଯାଞ୍ଚ କରାଯାଇଥିଲା।
ଡିଜିପି ଅଭୟ କହିଛନ୍ତି, କମିଶନରେଟ ପୋଲିସ ଏବଂ ଗୋଇନ୍ଦା ପୋଲିସ ପକ୍ଷରୁ ବିଧାନସଭା ଓ ଆଖପାଖ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ କଣ୍ଟ୍ରୋଲରୁମ୍‌ ଓ ସମନ୍ବିତ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୯୦ ଅଫିସର ରହିବେ। ଏହାସହ ୨ ସ୍ପେଶାଲ ଟାକ୍ଟିକାଲ ୟୁନିଟ, ଷ୍ଟ୍ରାଇକିଂ ଫୋର୍ସ ଓ କ୍ୟୁଆର୍‌ଟି ମୁତୟନ ରହିବେ। ରୁଫ୍‌ ଟପ୍‌ ସିକ୍ୟୁରିଟି ସହ ବିଭିନ୍ନ ସ୍ଥାନରେ ସାଦା ପୋଷାକଧାରୀ ପୋଲିସ ପୂରା ସ୍ଥିତି ଉପରେ ନଜର ରଖିବେ। ପୋଲିସ କମିଶନର ଷଡ଼ଙ୍ଗୀ କହିଛନ୍ତି, ବିକ୍ଷୋଭକାରୀଙ୍କ ପାଇଁ ଗାନ୍ଧୀ ମାର୍ଗରେ ବ୍ୟାପକ ପୋଲିସ ଫୋର୍ସ ରଖାଯାଇଛି। ଏହାସହ ସିସିଟିଭି ମଧ୍ୟ ଲଗାଯାଇଛି। ଏଥର କାଠ ବଦଳରେ ଲୁହାର ବ୍ୟାରିକେଡ କରାଯାଇଛି। ପ୍ରତିବର୍ଷ ଗଛ କଟାଯାଇ ବ୍ୟାରିକେଡ କରାଯାଉଥିଲା। ଫଳରେ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଥିଲା। ଅନ୍ୟପକ୍ଷରେ ବିଧାନସଭା ନିୟମିତ ହେଉଥିବାରୁ ସ୍ଥାୟୀଭାବେ ଲୁହାର ବାରିକେଡ୍‌ କରାଯାଇଛି। ଯାହାକି ସବୁ ଦୁଷ୍ଟିରୁ ଭଲ। ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ଗଛ କଟାଯିବାରୁ ମଧ୍ୟ ମୁକ୍ତି। ଏହା ଏକ ଭଲ ପ୍ରୟାସ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି।

Share