Categories: ଖେଳ

ତ୍ରି-ରାଷ୍ଟ୍ରୀୟ ଟି୨୦: ଆଫଗାନିସ୍ତାନକୁ ଜିତାଇଲେ ନବି

ଢାକା, ୧୫।୯- ସ୍ଥାନୀୟ ଶେର୍‌ ଇ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ଆଫଗାନିସ୍ତାନ ୨୫ ରନରେ ଘରୋଇ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଆଫଗାନିସ୍ତାନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମହମ୍ମଦ ନବିଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୬୪ ରନ୍‌ କରିଥିଲା। ନବି ୫୪ ବଲରୁ ୭ ଛକା ଓ ୩ ଚୌକା ବଳରେ ୮୪ ରନ କରିଥିବାବେଳେ ଅସଘର ଆଫଘାନ (୪୦) ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦ ସୈଫୁଦ୍ଦିନ ୪ ଓ ଶାକିବ ଅଲ୍‌ ହାସନ ୨ଟି ଉଇକେଟ୍‌ ନେଇଥିଲେ। ଜବାବରେ ବାଂଲାଦେଶ ୧୯.୫ ଓଭରରେ ୧୩୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ମହମ୍ମଦୁଲା ୪୪, ସବିର ରହମାନ ୨୪, ଆଫିଫ୍‌ ହୋସେନ ୧୬, ଶାକିବ ଓ ମୁସ୍ତାଫିଜୁର ରହମାନ ୧୫ ରନ କରିଥିଲେ। ବିଜୟୀ ଆଫଗାନିସ୍ତାନ ପକ୍ଷରୁ ମୁଜିବ ଉର୍‌ ରହମାନ ୪ ଏବଂ ଫରିଦ୍‌ ମଲିକ, ଗୁଲାବଦିନ ନାଇବ ଓ ଅଧିନାୟକ ରଶିଦ ଖାଁ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଆଫଗାନିସ୍ତାନର ଏହା ଲଗାତର ୨ୟ ବିଜୟ। ଶନିବାର ଆଫଗାନିସ୍ତାନ ଏହାର ପ୍ରଥମ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ପରାସ୍ତ କରିଥିଲା। ଦୁଇ ବିଜୟ ସହ ଆଫଗାନିସ୍ତାନ ୮ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି। ବାଂଲାଦେଶ (୪) ଓ ଜିମ୍ବାଓ୍ବେ (୦) ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି।

Share