Categories: ଜାତୀୟ

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ୧୧ ଦୃଷ୍ଟିଶକ୍ତି ହରାଇଲେ

ଭୋପାଳ,୧୮ା୮(ଆଇଏଏନ୍‌ଏସ୍‌): ଇନ୍ଦୋର ଆଇ ହସ୍ପିଟାଲ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ୧୧ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଅସ୍ତ୍ରୋପଚାର କକ୍ଷକୁ ସିଲ୍‌ କରିଦେବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମରେ ଗତ ୮ ତାରିଖରେ ୧୩ ଜଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଝାପ୍‌ସା ଦେଖାଯାଉଥିବା ଅଭିଯୋଗ ହୋଇଛି ବୋଲି ମୁଖ୍ୟ ମେଡିକାଲ ତଥା ସ୍ବାସ୍ଥ୍ୟ ଅଧିକାରୀ ପ୍ରବୀଣ ଜାଡିୟା ସୂଚନା ଦେଇଛନ୍ତି। ୯ ତାରିଖରେ ଆଖିରେ ଆଇ ଡ୍ରପ୍‌ ପକାଯିବା ପରେ ସେମାନଙ୍କୁ ଭଲ ଦେଖାଯାଉ ନ ଥିବା ଅଭିଯୋଗ କରିଥିଲେ। ସେମାନଙ୍କ ମଧ୍ୟରୁ କେତେକ କେବଳ କଳା ଛାଇ ଦେଖୁଥିବା କହିଥିଲେ। ରୋଗୀଙ୍କ ଆଖିରେ ସଂକ୍ରମଣ ହୋଇଥିବା ଡାକ୍ତର ସ୍ବୀକାର କରିଛନ୍ତି। ତେବେ ସଂକ୍ରମଣର କାରଣ ଜଣାପଡିନାହିଁ ବୋଲି ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁଧୀର ମହାଶବ୍‌ଦେ କହିଛନ୍ତି। ରାଜ୍ୟ ସରକାର ଉକ୍ତ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରିଥିବାବେଳେ ମୁଖ୍ୟମନ୍ତ୍ରୀ କମଳ ନାଥ ରୋଗୀମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ଏଥିସହିତ ସେମାନଙ୍କୁ ଚେନ୍ନାଇର ଶଙ୍କର ନେତ୍ରାଳୟର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସା କରାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Share