ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ବଲାଙ୍ଗୀର ଅଫିସ, ୩ା୨: ବଲାଙ୍ଗୀର ଗାନ୍ଧୀଭବନଠାରେ ବୌଦ୍ଧିକ ଅନୁଷ୍ଠାନ ରଚନା ପକ୍ଷରୁ ଶିକ୍ଷା ଅଧିକାର: ଲକ୍ଷ୍ୟ, ବାସ୍ତବତା ଓ ସମ୍ଭାବନା ଶୀର୍ଷକ ଏକ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ ହୋଇଛି ା ରଚନା ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅତିଥି ବକ୍ତାଭାବେ ସରକାରୀ ମହିଳା ମହାବିଦ୍ୟାଳୟ ଶିକ୍ଷା ବିଭାଗ ଅଧ୍ୟାପକ ହେମନ୍ତ କୁମାର ମଲ୍ଲିକ, ଗଣମାଧ୍ୟମ ପ୍ରତିନିଧି ମନରଞ୍ଜନ ଯୋଷୀ ଯୋଗଦାନ କରିଥିଲେ ା ଆଲୋଚକଭାବେ ପୁଇଁତଲା ବ୍ଳକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ଅବସରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ଯୋଷୀ, ବୀଣାପାଣି ଶିକ୍ଷାସୌଧର ପରିଚାଳନା ନିର୍ଦ୍ଦେଶକ ଅଶୋକ ମେହେର, ସାମାଜିକ କର୍ମୀ ଅରୁଣ ମିଶ୍ର ଯୋଗଦାନ କରିଥିଲେ ା ସ୍ବାଧୀନତା ପରେ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ୱ ଦେବା ଓ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରାଯିବାକୁ ଚିନ୍ତା କରାଯାଇଥିଲେ ମଧ୍ୟ ୨୦୦୨ ମସିହାରେ ୮୬ତମ ସମ୍ବିଧାନ ସଂଶୋଧନରେ ଯାଇ ଏହା ମୌଳିକ ଅଧିକାର ପରିସରଭୁକ୍ତ ହୋଇ ପାରିଥିଲା ା ୨୦୦୯ ମସିହାରେ ଶିକ୍ଷା ଅଧିକାର ଆଇନ ଗୃହୀତ ହେବା ପରେ ୨୦୧୦ ମସିହା ଏପ୍ରିଲ ମାସରୁ ଏହା କାର୍ଯ୍ୟକାରୀ ହୋଇଛି ା ଇତିମଧ୍ୟରେ ଗୋଟିଏ ଦଶନ୍ଧି ଅତିବାହିତ ହୋଇଯାଇଥିଲେ ମଧ୍ୟ ଶିକ୍ଷାକ୍ଷେତ୍ରରେ ଗଭୀର ଅସମାନତା ଦେଖାଯାଉଛି ା ପ୍ରାଥମିକ ଶ୍ରେଣୀରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଛାତ୍ରୀଛାତ୍ରମାନେ ସମାନ ଶିକ୍ଷା ସୁଯୋଗ ପାଉନାହାନ୍ତି ା ସମାନ ଶିକ୍ଷା ସୁଯୋଗ ପାଉ ନ ଥିବାରୁ ଦେଶର ବିଭିନ୍ନ କ୍ଷେତ୍ରରେ ଅରାଜକତା ଓ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ ା ସରକାରୀ ସ୍କୁଲ ଓ ଘରୋଇ ସ୍କୁଲରେ ଶିକ୍ଷାର ମାନ ଓ ବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ ା ଅଧିକ ଦରମା ପାଇବା ସତ୍ତ୍ୱେ ସରକାରୀ ସ୍କୁଲକୁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ପସନ୍ଦ କରୁ ନ ଥିବା କଥା ଉଲ୍ଲେଖ କରାଯାଇ ଏହା ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି ବୋଲି କହିଥିଲେ ା ଶିକ୍ଷାକ୍ଷେତ୍ରରେ ଗୁରୁତର ତ୍ରୁଟିପୂର୍ଣ୍ଣ ନୀତି ଓ ଅବ୍ୟବସ୍ଥା ଯୋଗୁଁ ଆଜି ଆମର ଜାତୀୟ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଆଲୋଚକମାନେ କହିଥିଲେ ା

Share