ତ୍ରୟୋଦଶ ଆନ୍ତଃଜିଲା ତରୁଣ ସ୍ମାରକୀ କ୍ରିକେଟ୍‌ ଟୁର୍ନାମେଣ୍ଟ:ଜାଭିୟରକୁ ହରାଇ ଜେମ୍ସ ଚାମ୍ପିୟନ

ଯାଜପୁର ରୋଡ,୬-୧୧(ନି.ପ୍ର.)- ସେଣ୍ଟମେରୀଜ୍‌ ସ୍କୁଲ ଆନୁକୂଲ୍ୟରେ ତ୍ରୟୋଦଶ ଆନ୍ତଃଜିଲା ତରୁଣ ସ୍ମାରକୀ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଜେମ୍ସ ସ୍କୁଲ ଓ ଜାଭିୟର ହାଇସ୍କୁଲ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଜେମ୍ସ ସ୍କୁଲ ୯ ରନ୍‌ରେ ଜାଭିୟର ହାଇସ୍କୁଲକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଜାଭିୟର ସ୍କୁଲ ଟସ୍‌ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଜେମ୍ସ ସ୍କୁଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୫୩ ରନ୍‌ କରିଥିଲା। ଦଳ ପକ୍ଷରୁ ସୁମନ ମଣ୍ଡଳ ସର୍ବାଧିକ ୩୮ ରନ୍‌ କରିଥିଲେ। ଜବାବ୍‌ରେ ଜାଭିୟର ହାଇସ୍କୁଲ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ଉଇକେଟ୍‌ ହରାଇ ୧୪୪ ରନ୍‌ କରି ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ଆଦିତ୍ୟ ଜେନା ୭୭ ରନ୍‌ କରିଥିଲେ। ଓସିଏର ଅମ୍ପାୟର ବୁଲୁ ପଟ୍ଟନାୟକ, ରମେଶ ମହାରଣା, ଚିନ୍ମୟ ମାଝୀ ଖେଳ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବର ମୁଖ୍ୟଅତିଥି ଭାବେ ଯାଜପୁର ପ୍ରଶାସନୀକ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା, ମୁଖ୍ୟବକ୍ତା ଭାବେ ଫେଡେରାଲ ବ୍ୟାଙ୍କ ଚିଫ୍‌ ମ୍ୟାନେଜର ରାଜୀବ କୁମାର, ସମ୍ମାନିତ ଅତିଥି ଭାବେ ଜିଲା କ୍ରୀଡା ଅଧିକାରୀ ଫକୀର ଟୁଡୁ, ସ୍କୁଲର ପରିଚାଳକ ଫାଦର ସୁନୀଲ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ସ୍କୁଲର ପ୍ରିନ୍ସପାଲ ସିଷ୍ଟର ରୋଜିଲୀ ସଭାପତିତ୍ୱ କରିଥିଲେ। ଟିଏମ୍‌ସିଟିର ସମ୍ପାଦକ ଅମିୟ ଜେନା ବିବରଣୀ ପାଠ କରିଥିଲେ। କମଲେଶ ରାଓ, ଆଶିଷ ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ଦୀପ୍ତିଶ୍ୟାମ ଧନ୍ୟବାଦ ଅର୍ପଣ କରିଥିଲେ।