Advertisement

ଥକ୍କାପଣ ଦୂର କରିବ ‘ଛେଳି ଯୋଗ’

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋ ଏବଂ ସିଲିକନ୍‌ ଭ୍ୟାଲିରେ ଏବେ ‘ଗୋଟ୍‌ ୟୋଗା’ ବା ‘ଛେଳି ଯୋଗ’ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ପ୍ରତିଦିନ ସକାଳୁ ଛେଳି ଯୋଗ କରିବାକୁ ହଜାର ହଜାର ଲୋକ ଏଠାରେ ଥିବା ହାଫ୍‌ ମୁନ୍‌ ୱେରେ ଏକତ୍ର ହୋଇଥାନ୍ତି। ଦୁନିଆରେ ତ ବିଭିନ୍ନ ପ୍ରକାର ଯୋଗ ବାହାରିଲାଣି; କିନ୍ତୁ ଏହି ଛେଳି ଯୋଗ ସବୁଠୁ ଅଲଗା। ଏହି ଯୋଗ ସମୟରେ କେବଳ ଲୋକଙ୍କୁ ଛୋଟ ଶିଶୁଙ୍କ ଭଳି ଗୁରୁଣ୍ଡିବା ଅବସ୍ଥାରେ ରହିବାକୁ ପଡ଼ିବ। ଏହାପରେ ଛେଳିମାନେ ସେମାନଙ୍କ ମୁହଁ, କେଶ, ଗୋଡ଼ ଏବଂ ହାତକୁ ଚାଟିବା ସହ ସେମାନଙ୍କ ଉପରେ ଚଢ଼ିଥାନ୍ତି। ୨୦୧୬ରେ ପ୍ରଥମଥର ଆମେରିକାର ପଶ୍ଚିମରେ ଥିବା ଓରେଗନ୍‌ସ୍ଥିତ ରିଗ୍ରେଟ୍ସ ଫାର୍ମର ମାଲିକ ଲାଏନି ମୋର୍ସ ଏହି ଯୋଗର ପ୍ରଚଳନ କରିଥିଲେ। ଅଟୋଇମ୍‌ନ୍ୟୁ ରୋଗରେ ପୀଡ଼ିତ ଲାଏନିଙ୍କ ଅନୁସାରେ, ନିଜକୁ ଆଉଁଷିବାକୁ ପସନ୍ଦ କରୁଥିବା ଏହି ଛୋଟ ଛୋଟ ଛେଳିଙ୍କ ପ୍ରଭାବ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଭଲ। ଏହାଦ୍ୱାରା ଶରୀରକୁ ତାଜା ଅନୁଭୂତ ହେବା ସହ ମାନସିକ ଓ ଶାରୀରିକ ସ୍ତରରେ ସମସ୍ତ ଟେନ୍‌ସନ୍‌ ଏବଂ ଥକ୍କାପଣ ଦୂର ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel