ଥଣ୍ଡାରେ ଠିଆହେଲେ ସ୍କୁଲ ପିଲା; ଇନ୍ଧନ ସଂରକ୍ଷଣ ସଚେତନତା ରାଲି

ଫୁଲବାଣୀ ଅଫିସ, ୩ା୨-ଆଇଓସିଏଲ୍‌ (ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ) ପକ୍ଷରୁ ଇନ୍ଧନ ସଂରକ୍ଷଣ ସଚେତନତା ରାଲି ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଏହାର ଶୁଭାରମ୍ଭ ପୂର୍ବତନ ଏମ୍‌ପି ଖାରାବେଳ ସ୍ବାଇଁ କରିଥିଲେ। ଏହି ପଦଯାତ୍ରାରେ ସହରର ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରୀ ଅଂଶଗ୍ରହଣ କରି ଇନ୍ଧନ ଅପବ୍ୟବହାର ରୋକିବା ସହ ଆଗାମୀ ପିଢୀ ପାଇଁ ସଂରକ୍ଷିତ ରଖିବାକୁ ସହରବାସୀଙ୍କୁ ସଚେତନ କରିଥିଲେ। ଏ ସମ୍ପର୍କିତ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କ ଅଂଶଗ୍ରହଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ଶୋଭାଯାତ୍ରା ପୂର୍ବରୁ ପ୍ରବଳ ଥଣ୍ଡାରେ ପିଲାମାନଙ୍କୁ ସକାଳ ସାଢ଼େ ୬ଟାରୁ ଠିଆ କରାଯାଇଥିଲା। ଶୀତରେ ପିଲାମାନେ ଥରୁଥିଲେ ବି ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଆଇଓସିଏଲ୍‌ କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କୁ ସାମିଲ କରିବାକୁ ନେଇ ସହରର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିଲେ। ସହରରେ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ, କଲେଜ, ଯୁବକ ସଂଘ ଓ ସରକାରୀ କର୍ମଚାରୀ ଅଛନ୍ତି। ହେଲେ ସେମାନଙ୍କୁ ଏଥିରେ ସାମିଲ ନ କରି ଛୋଟ ଛୋଟ ପିଲାଙ୍କୁ ଥଣ୍ଡା କାକରରେ ଦୀର୍ଘ ସମୟ ଠିଆ କରାଇବାକୁ ସବୁ ମହଲରେ ନିନ୍ଦା କରାଯାଇଛି। କେତେକ ମାନବାଧିକାର କର୍ମୀ ମାନବାଧିକାର କମିଶନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଅତିଥି ଭାବେ ଆଇଓସିଏଲ୍‌ର ଓଡିଶା ଜେନେରାଲ ମ୍ୟାନେଜର ଏମ୍‌. ଉନିକ୍ରିଷ୍ଣା ଓ ଚିଫ୍‌ ଟେକ୍ନିକାଲ ଅଫିସର ଅମର ବଳବନ୍ତରାୟ ଯୋଗ ଦେଇଥିଲେ।

Share