Categories: ବାଣିଜ୍ୟ

ଥମାସ କୁକ୍‌ ଦେବାଳିଆ ଯୋଗୁ ପ୍ରଭାବିତ ହେବ ଭାରତର ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୨୫-୯: ବିଶ୍ୱର ସର୍ବବୃହତ ପର୍ଯ୍ୟଟନ ସେବା ଯୋଗାଣକାରୀ କମ୍ପାନୀ ବ୍ରିଟେନର ଥମାସ କୁକ୍‌ ରାତାରାତି ନିଜକୁ ଦେବାଳିଆ ଘୋଷଣା କରିବା ଦ୍ୱାରା ସାରାବିଶ୍ୱର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବାକୁ ଯାଉଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିବନି। ଥମାସ କୁକ୍‌ ବନ୍ଦ ହୋଇଯିବା ଦ୍ୱାରା ଭାରତକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯଥେଷ୍ଟ ସଂଖ୍ୟାରେ କମିଯିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଫଳସ୍ବରୂପ ଆଗାମୀ ଦିନରେ ଭାରତର ବୈଦେଶିକ ମୁଦ୍ରା ଅର୍ଜନ ବହୁ ପରିମାଣରେ କମିବ ବୋଲି ସେମାନେ କହିଛନ୍ତି। ପର୍ଯ୍ୟଟନ ଉଦ୍ୟୋଗ ସୂତ୍ରରୁ ପ୍ରକାଶ ଯେ, ଥମାସ କୁକ୍‌ ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଭି ଦେଶରୁ ବଡ଼ ଆକାରରେ ଖର୍ଚ୍ଚ କରିପାରୁଥିବା ପର୍ଯ୍ୟଟକଙ୍କୁ ଭାରତ ପଠାଉଥିଲା। ଭାରତୀୟ ବଜାର ଥମାସ କୁକ୍‌ର ପାଇଁ ଆୟର ପ୍ରମୁଖ ସ୍ରୋତ ଥିଲା। ଦିଲ୍ଲୀସ୍ଥିତ ୨୪x୭ ଟ୍ରାଭେଲ୍ସ ଡଟ୍‌ କମ୍‌ର ନିର୍ଦ୍ଦେଶକ ହରଜିନ୍ଦର ସିଂ କହିଛନ୍ତି ଯେ, ଥମାସ କୁକ୍‌ ବନ୍ଦ ହୋଇଯିବା ପରେ ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ନିଶ୍ଚିତ ରୂପେ ହ୍ରାସ ପାଇବ। ମାନ୍ଦାବସ୍ଥା କାରଣରୁ ଦେଶର ପର୍ଯ୍ୟଟନ ଉଦ୍ୟୋଗ ସଂଘର୍ଷ କରୁଥିବା ବେଳେ ଥମାସ କୁକ୍‌ ବନ୍ଦ ହୋଇଯିବା ବେଡି ଉପରେ କୋରଡା ମାଡ଼ ସଦୃଶ ହେବ। ସଦ୍ୟତମ ସରକାରୀ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ଭାରତ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ବ୍ରିଟେନରୁ ୮.୦୧ ପ୍ରତିଶତ, ଜର୍ମାନୀରୁ ୧.୮୫% ରହିଛନ୍ତି। ବିଶ୍ୱରେ ମାନ୍ଦାବସ୍ଥା କାରଣରୁ ବିଦେଶୀ ପର୍ଯ୍ୟଟକଙ୍କ ବୁଲିବା କମୁଛି। ଫଳରେ ଥମାସ କୁକ୍‌ ଭଳି ବହୁ ପର୍ଯ୍ୟଟନ ସେବା ଯୋଗାଣକାରୀ କମ୍ପାନୀ ବନ୍ଦ ହେବାକୁ ବସିଛି ବୋଲି ସେ କହିଛନ୍ତି।

Share