ଥମୁନି ଚାଷୀ ଅସନ୍ତୋଷ: ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୧୧: ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୨ଦିନ ବିତି ଯାଇଛି । ତଥାପି ଧାନ କିଣାବିକା ସ୍ବାଭାବିକ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥା ଚାଷୀଙ୍କ ପାଇଁ ଅଡ଼ୁଆ ସାଜିଛି । ଟୋକନ ପ୍ରଚଳନକୁ ବାଧ୍ୟତାମୂଳକ କରାଯାଇ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅନେକ ଚାଷୀଙ୍କ ପାଖକୁ ଟୋକନ ପହଞ୍ଚି ପାରିନାହିଁ । ଫଳରେ ଚାଷୀମାନେ ସେମାନଙ୍କ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି । ଏଥିପାଇଁ ଅମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଚାଷୀ ପାରିଶ୍ରମିକ ପ୍ରଦାନ କରିପାରୁ ନ ଥିବାବେଳେ ପରବର୍ତ୍ତୀ ଫସଲ ପାଇଁ ପ୍ରସ୍ତୁତ ମଧ୍ୟ ହୋଇପାରି ନାହିଁ । ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି କ୍ରମରେ ବୁଧବାର ବରଗଡ଼ ଆରଏମସି ଅଧୀନ ଚାଷୀମାନେ ସ୍ଥାନୀୟ ବେହେରା ମାର୍କେଟ୍‌ ୟାର୍ଡ଼(ମଣ୍ଡି)ରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବରଗଡ଼ ତହସିଲଦାର ସବ୍ୟସାଚୀ ପଣ୍ଡା ସେଠାକୁ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ୨ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କୁ ଟୋକନ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ ।
ପ୍ରକାଶ ଯେ, ବରଗଡ଼ ଜିଲାରେ ଗତ ୧୫ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିଦିନଠାରୁ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନୂତନ ଟୋକନ ବ୍ୟବସ୍ଥା ଏବେ ଧାନ କିଣାବିକାରେ ପ୍ରତିବନ୍ଧକ ସାଜିଛି। ଚାଷୀମାନେ ଦୀର୍ଘଦିନରୁ ଧାନ ଅମଳ କରିସାରିଲେଣି । କେତେକ ଚାଷୀ ମଣ୍ଡିକୁ ଧାନ ଆଣି ଗଦା କରିଛନ୍ତି । ହେଲେ ଟୋକନ ମିଳିପାରି ନ ଥିବା ଯୋଗୁ ସେମାନେ ଧାନ ବିକ୍ରି କରି ପାରୁନାହାନ୍ତି । ନେହେରୁ ସାହୁ ନାମକ ଜଣେ ଚାଷୀ କହିଛନ୍ତି, ସେ ଗତ ରବିବାରଠାରୁ ବେହେରା ମଣ୍ଡିକୁ ୧୬୦ ପ୍ୟାକେଟ୍‌ ଧାନ ଆଣିଛନ୍ତି । ହେଲେ ଏପର୍ଯ୍ୟନ୍ତ ଟୋକନ ପାଇ ନାହାନ୍ତି । ଫଳରେ ମଣ୍ଡିରେ ସେହି ଧାନତକ ପଡ଼ି ରହିଛି । ଅନ୍ୟ ଜଣେ ଚାଷୀ ରାଜେନ୍ଦ୍ର ସାହୁ କହିଛନ୍ତି, ଗତ ଶନିବାରଠାରୁ ସେ ଏହି ମଣ୍ଡିକୁ ୭୮ ପ୍ୟାକେଟ୍‌ ଧାନ ଆଣିଛନ୍ତି । ତାଙ୍କୁ ମଧ୍ୟ ଟୋକନ ମିଳି ନାହିଁ ଏବଂ ସେ ବର୍ତ୍ତମାନ ସୁଦ୍ଧା ଧାନବିକ୍ରି କରିପାରିନାହାନ୍ତି । ଆଉ ଜଣେ ଚାଷୀ ସୁମନ୍ତ ସାହୁଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଦେଖାଯାଇଛି । ଗତ ରବିବାରଠାରୁ ସେ ମଣ୍ଡିକୁ ୨୧୨ ପ୍ୟାକେଟ୍‌ ଧାନ ଆଣିଥିଲେ ସୁଦ୍ଧା ଟୋକନ ମିଳି ନ ଥିବା ଯୋଗୁ ମଣ୍ଡିରେ ଧାନ ପଡ଼ି ରହିଥିବା ସେ କହିଛନ୍ତି । ଅନୁରୂପ ଭାବେ ଶନିବାରଠାରୁ ଉକ୍ତ ମଣ୍ଡିକୁ ଧାନ ଆଣିଥିଲେ ହେଁ ଟୋକନ ମିଳି ନ ଥିବା ଯୋଗୁ ସତ୍ୟମ ସାହୁଙ୍କ ୮୮, ବଳିଷ୍ଠ ସାହୁଙ୍କ ୧୦୦ ପ୍ୟାକେଟ୍‌ ଧାନ ବିକ୍ରି ହୋଇପାରି ନ ଥିବା ସେମାନେ କହିଛନ୍ତି । ଉପରୋକ୍ତ ଚାଷୀଙ୍କ ଭଳି ଜିଲାର ଅନେକ ଚାଷୀଙ୍କ ପାଖକୁ ଟୋକନ ପହଞ୍ଚି ପାରି ନ ଥିବା ଯୋଗୁ ସେମାନେ ଧାନବିକ୍ରିରୁ ବଞ୍ଚିତ ହୋଇଛନ୍ତି । ଏହାକୁ ନେଇ ଦେଖାଯାଇଥିବା ଅସନ୍ତୋଷ ପୁଣି ଏକ ଆନ୍ଦୋଳନ ପାଇଁ ମୁଣ୍ଡ ଟେକିଛି ।

Share