Categories: ଜାତୀୟ

ଥମୁନି ଦାଦନ ଦୁଃଖ: ସଡ଼କ ଦୁର୍ଘଟଣାରେ ୨୪ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଔରୟା,୧୬।୫: ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଲକ୍‌ଡାଉନ ୩.୦ର ଅବଧି ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଏପଟେ କିନ୍ତୁ ଥମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ। କିଏ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହେଉଛି ତ ପୁଣି ଦିଏ ଟ୍ରେନ୍‌ ଲାଇନରେ ଆସୁଥିବା ବେଳେ ଦୁର୍ଘଟଣାରେ ଜୀବନ ହାରୁଛି। ଶନିବାର ସକାଳୁ ଉତ୍ତରପ୍ରଦେଶର ଔରୟାଠାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ। ଟ୍ରକ୍‌ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ଶ୍ରମିକଙ୍କୁ ଆଉ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ୨୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୋର ପ୍ରାୟ ୩.୩୦ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏମାନେ ସମସ୍ତେ ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ଆହତ ଥିବା ପ୍ରାୟ ୨୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କହିଛନ୍ତି ଔରୟାର ଚିଫ୍‌ ମେଡିକାଲ ଅଫିସର ଅର୍ଚ୍ଚନା ଶ୍ରୀବାସ୍ତବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ଉଦ୍ଦେଶ୍ୟରେ ସମବେଦନା ପ୍ରକାଶ କରିଛନ୍ତି।

Share