ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ ସେମାନେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। କୌଣସି ପ୍ରକାରେ ନିଜ ଜନ୍ମମାଟିକୁ ଫେରିଯିବା ଲାଗି ସେମାନେ ବ୍ୟଗ୍ର। ସେମାନଙ୍କ ଫେରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍ ଓ ବସ୍ ବ୍ୟବସ୍ଥା କରାଯାଇଥିଲେ ହେଁ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଅନେକ ଶ୍ରମିକ ଚାଲିଚାଲି କିମ୍ବା ବିପଜ୍ଜନକ ଭାବେ ମାଲବାହୀ ଟ୍ରକ୍ ଉପରେ ବସି ଫେରୁଥିବା ଦେଖାଯାଇଛି। ଯେଉଁଠି ବସ୍ ସୁବିଧା ମିଳୁଛି ସେଠାରେ ଶ୍ରମିକଙ୍କ ସଂଖ୍ୟା ତୁଳନାରେ ତାହା ନଗଣ୍ୟ। ତେଣୁ କେମିତି ଘରକୁ ଫେରିବେ ସେଥିପାଇଁ ଶ୍ରମିକମାନେ ରାତି ଅଧରୁ ବସ୍ଷ୍ଟାଣ୍ଡରେ ଧାଡ଼ି ଲଗାଉଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା ଲାଗି ପ୍ରତି ବସ୍ରେ ମାତ୍ର ୨୨ ଜଣ ଯାତ୍ରୀଙ୍କୁ ଅନୁମତି ମିଳିଥିବାବେଳେ ଠାଣେ ବସ୍ଷ୍ଟାଣ୍ଡରେ ପ୍ରବାସୀ ଶ୍ରମିକମାନେ ୧.୫ କିଲୋମିଟର ଧରି ଲାଇନ ଲଗାଇଛନ୍ତି। ସେମାନେ ରବିବାର ରାତି ୧୦ଟାରୁ ଲାଇନରେ ଛିଡ଼ା ହୋଇଥିବା ଜଣାପଡିଛି।
ଧାଡ଼ି ଅତି ମନ୍ଥର ଗତିରେ ଆଗଉଥିବାରୁ ତାଙ୍କ ପାଳି କେତେବେଳେ ପଡ଼ିବ ବୋଲି ମଧ୍ୟପ୍ରଦେଶର ଜଉନପୁର ଯିବାକୁ ଅପେକ୍ଷା କରିଥିବା ଜଣେ ଶ୍ରମିକ କହିଛନ୍ତି। ବସ୍ରେ ଯିବା ପାଇଁ ନାମ ପଞ୍ଜୀକରଣ କଲାବେଳେ ଆଧାର କାର୍ଡ ବିବରଣୀ ଦେବାକୁ ପଡ଼ୁଛି। ବସ୍ ବ୍ୟବସ୍ଥା ହୋଇଥିବା ଖବର ପାଇବା ପରେ ସେ ରବିବାର ସନ୍ଧ୍ୟାରୁ ବସ୍ଷ୍ଟାଣ୍ଡକୁ ଆସିଥିବା କହିଛନ୍ତି। ରବିବାର ଲକ୍ଡାଉନକୁ ଚତୁର୍ଥ ଥର ପାଇଁ ବଢ଼ାଯିବା ପରେ ବହୁସଂଖ୍ୟାରେ ଶ୍ରମିକ ଚାଲି ଚାଲି ଫେରିବା ପାଇଁ ରାସ୍ତାକୁ ଓହ୍ଲାଇଥିବାବେଳେ ଠାଣେ ପୋଲିସ ସେମାନଙ୍କୁ ଅଟକାଇ ବସ୍ଷ୍ଟାଣ୍ଡକୁ ଯିବା ଲାଗି ନିର୍ଦ୍ଦେଶ ଦେଉଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଥିବା ବେଳେ ମୁମ୍ବାଇ ପରେ ଠାଣେ ସର୍ବାଧିକ ସଂକ୍ରମିତ ସହର।
ସେହିପରି ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଘରକୁ ଫେରିବା ପାଇଁ ଉତ୍ତରପ୍ରଦେଶର ଗାଜିଆବାଦରେ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି। ବସ୍୍ରେ ଯିବା ଲାଗି ପଞ୍ଜୀକରଣ ନିମନ୍ତେ ଗାଜିଆବାଦର ରାମଲୀଳା ମଇଦାନରେ ଶ୍ରମିକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱ ନିୟମକୁ ସେମାନେ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି। ବସ୍ ସେମାନଙ୍କୁ ଷ୍ଟେଶନ ନେବାପରେ ସେଠାରୁ ସେମାନେ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ବିହାର ଫେରିବେ। କେବଳ ସତର୍କତା ନାଁରେ ଶ୍ରମିକମାନେ ସେମାନଙ୍କ ମୁହଁକୁ କପଡ଼ାରେ ଢାଙ୍କିଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱକୁ ଧ୍ୟାନ ଦିଆଯାଉ ନ ଥିବା ନେଇ ପ୍ରଶ୍ନ ହେବାରୁ ଜଣେ ଶ୍ରମିକ କହିଥିଲେ, ସେ ରୋଗ କ’ଣ ଜାଣନ୍ତି ନାହିଁ, କିନ୍ତୁ ସେ ଭୋକରେ ମରିବାକୁ ଚାହୁଁନାହନ୍ତି। ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।