ଥମୁନି ବାଲ୍ୟ ବିବାହ ଧାରା ପ୍ରଥା ଦାୟରେ ଏବେ ବି ବଳି ପଡୁଛନ୍ତି ବାଳିକା

ଜୟପୁର,୯ା୨(ନି.ପ୍ର.)

ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲାରେ ଏବେ ବି ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ରହିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ବାଲ୍ୟ ବିବାହ ରୋକାଯିବା ଘଟଣା ଦର୍ଶାଉଛି ଯେ ଏଯାବତ୍‌ ଏହି ପ୍ରଥା ଲୋପ ପାଇନାହିଁ। ନିରକ୍ଷରତା ଓ ସଚେତନତାର ଅଭାବ ସହ ପରମ୍ପରାକୁ ଆବୋରି ବସିବା ଯୋଗୁ ଏବେ ବି ବଳି ପଡୁଛନ୍ତି ବାଳିକା। ବାଲ୍ୟ ବିବାହ ବିରୋଧରେ ପ୍ରଶାସନର ସଚେତନତା କେବଳ ଜିଲାସ୍ତରୀୟ ସଭାସମିତି, ସମୀକ୍ଷା ବୈଠକରେ ସୀମିତ ରହିଥିବା ବେଳେ ତୃଣମୂଳ ସ୍ତରରେ ଏହାର ପ୍ରକୃତ ପ୍ରଭାବ ପଡୁନାହିଁ। ଚାଇଲ୍ଡ ଲାଇନ ବିଭାଗ ସହଯୋଗ ନ କଲେ ଏହାକୁ ରୋକିବା ଦିଗରେ ସଫଳତା ନେଇ ଆଶଙ୍କା ପ୍ରକାଶ ପାଇଛି।
ଅବିଭକ୍ତ କୋରାପୁଟ ଜିଲାର ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲାରେ ୬୦ ପ୍ରତିଶତରୁ ଅଧିକ ଆଦିବାସୀ ଲୋକ ରହୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବହୁ ପ୍ରଚଳିତ ପରମ୍ପରା ସହ ଦାରିଦ୍ର୍ୟତା ଯୋଗୁ କମ୍‌ ବୟସରେ ଝିଅମାନେ ବିବାହ କରିଥାନ୍ତି। ବାଲ୍ୟ ବିବାହ ଓ କମ୍‌ ବୟସରେ ମାତୃତ୍ୱ ଲାଭ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା ବେଳେ ଏହା ସାଂସାରିକ ଭବିଷ୍ୟତ ଗଢ଼ିବାରେ ଏକ ବାଧକ ଭାବେ ରହିଆସିଛି। ଯେଉଁ ସମୟରେ କିଶୋରୀମାନେ ବିଦ୍ୟାଳୟରେ ପାଠ ପଢ଼ିବା କଥା, ସେହି ସମୟରେ ବିବାହ ସେମାନଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲିଦିଏ। ଆଦିବାସୀ ଝିଅ ୧୨ରୁ ୧୩ ବର୍ଷ ବୟସରେ ବିବାହ କରୁଛନ୍ତି। ଅଳ୍ପ ବୟସରେ ଗର୍ଭଧାରଣ କରି ପ୍ରସବକାଳୀନ ମୃତ୍ୟୁମୁଖରେ ପଡୁଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ବାଲ୍ୟବିବାହ କ୍ଷେତ୍ରରେ ରାଜ୍ୟରେ ମାଲକାନଗିରି ଜିଲା ପ୍ରଥମ ଓ କୋରାପୁଟ ଜିଲା ଚତୁର୍ଥ ସ୍ଥାନରେ ରହିଛି। ନିରକ୍ଷରତା ଓ ସଚେତନତାର ଅଭାବ ଯୋଗୁ ବାଲ୍ୟ ବିବାହ ପ୍ରଥା ଆଶାନୁରୂପ ଭାବେ ବନ୍ଦ ହୋଇପାରି ନ ଥିବା ୟୁନିସେଫ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ସରକାର ଏ ଦିଗରେ ପ୍ରଭାବୀ ପଦକ୍ଷେପ ନେଉନାହାନ୍ତି। ଏ ସମ୍ପର୍କରେ ଆଇସିଡିଏସ୍‌ ପ୍ରୋଗ୍ରାମ ଅଫିସର ସ୍ବର୍ଣ୍ଣଭା ଦାଶଙ୍କୁ ପଚାରିବାରୁ ସେ କହିନ୍ତ୍‌ନ୍ତି, ବାଲ୍ୟ ବିବାହ ରୋକିବା ପାଇଁ ଜିଲାପାଳଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ଉଦ୍ୟମ ଜାରି ରହିଛି।

Share