ଥମୁନି ହାତୀ ଉପଦ୍ରବ: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଠାକୁରମୁଣ୍ଡା,୨୨।୧୨ (ଡି.ଏନ.ଏ.) -କେନ୍ଦୁଝର ଜିଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଲାଗି ରହିଛି। ରାତି ହେଲେ ହାତୀପଲ ଜଙ୍ଗଲ ତଳି ଇଲାକାର ବିଭିନ୍ନ ଗ୍ରାମରେ ପଶି ଫସଲ ଉଜାଡୁଛନ୍ତି। ବନ କର୍ମଚାରୀ ହାତୀପଲକୁ ଘଉଡାଇବାରେ ସଫଳ ହେଉ ନ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ବଳା ପଞ୍ଚାୟତ ଅନ୍ତର୍ଗତ ଡିଆଯୋଡି ଗ୍ରାମରେ ପଶି ୨ବଖରା ଘର ଭାଙ୍ଗି ଧାନଚାଉଳ ଖାଇଯାଇଥିଲେ। ହାତୀ ଉପଦ୍ରବ ଯୋଗୁ ପ୍ରଭାବିତ ହେଉଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଶନିବାର ଗ୍ରାମବାସୀ କରଞ୍ଜିଆ-ସିଙ୍ଗିଡା ରାସ୍ତାକୁ ଅନ୍ଧାରଝରି ଠାରେ ଅବରୋଧ କରିଥିଲେ। ଗ୍ରାମବାସୀ ଦର୍ଶାଇଥିଲେ ଯେ ଏହି ଗ୍ରାମର ଅଜିତ ବେହେରାଙ୍କ ଘରକୁ ଗତବର୍ଷ ହାତୀ ଭାଙ୍ଗି ଦେଇଥିଲେ। ସେମାନେ ପୁନଶ୍ଚ ଶୁକ୍ରବାର ତାଙ୍କର ଘରକୁ ଭାଙ୍ଗି ଦେଇଛନ୍ତି। ହାତୀ ଘର ଭାଙ୍ଗି ଫସଲ ଉଜାଡୁଥିଲେ ମଧ୍ୟ ତତ୍‌କାଳ କ୍ଷତିପୂରଣ ଦେବା ଏବଂ ହାତୀପଲକୁ ଘଉଡାଇବା ଦାବି କରି ଗ୍ରାମବାସୀ ରାସ୍ତାକୁ ଅବରୋଧ କରିବାରୁ ଗାଡିଚାଳଚଳ ବନ୍ଦ ହୋଇ ଯାଇଥିଲା। ଖବର ପାଇ କରଞ୍ଜିଆ ଥାନା ପୋଲିସ, କରଞ୍ଜିଆ ରେଞ୍ଜର କିଶୋର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ହାତୀପଲ ଘର ଭାଙ୍ଗିବା ଘଟଣାରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବାରୁ ଲୋକେ ରାସ୍ତା ଅବରୋଧରୁ ଓହରିଥିଲେ।