ଥମୁନି ହାତୀ ଉପଦ୍ରବ

ଔପଦା, ୨୯।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ଗଡ଼ସାହି ପଞ୍ଚାୟତର ଗଡ଼ସାହି ଗ୍ରାମ ସନ୍ନିକଟ ପଶ୍ଚିମାଘାଟି ରାସ୍ତା ନିକଟସ୍ଥ ଅଞ୍ଚଳରେ କୁଲଡ଼ିହା ହାତୀପଲ ତାଣ୍ଡବ ଚଳାଇଛନ୍ତି। ସନ୍ଧ୍ୟା ହେଲେ ହାତୀପଲ ପାହାଡ଼ ତଳକୁ ଆସି ଚାଷୀଙ୍କ ଫସଲ ଖାଇବା ସହ ମାଡ଼ି ଦଳି ନଷ୍ଟ କରିବା ଏକ ସାଧାରଣ ଘଟଣା ପାଲଟିଛି। ଏପରିକି ରାତିରେ ଗାଁରେ ପଶି ଆଦିବାସୀଙ୍କ ଝାଟିମାଟି ଘରୁ ଚାଉଳ, ଧାନ, ପନିପରିବା ଖାଇବା ସହ ବାଡ଼ିରେ ଫସଲ ଉଜାଡିଦେଇଥିଲେ। ଏବେ ହାତୀପଲ ଆଉ ସନ୍ଧ୍ୟା ବା ରାତିକୁ ଅପେକ୍ଷା ନ କରି ସ୍ପଷ୍ଟ ଦିବାଲୋକରେ ପାହାଡ଼ ତଳେ ବୁଲୁଥିବା ଦେଖିବାକୁ ମିଳିଛି।
ଶୁକ୍ରବାର ଅପରାହ୍ନରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ହାତୀ ଔପଦା କପ୍ତିପଦା ରାସ୍ତା ନିକଟରେ ମେଳି ବାନ୍ଧିଥିଲେ। ଏଣୁ ପ୍ରାୟ ଅଧଘଣ୍ଟାକାଳ ଗାଡ଼ିମୋଟର ବନ୍ଦ କରି ଯାତ୍ରୀ ତଥା ଆରୋହୀମାନେ ହାତୀମାନଙ୍କୁ ଖୁବ୍‌ ନିକଟରୁ ଦେଖିବା ସହ ଫଟୋ ଉଠାଇଥିଲେ। ହାତୀମାନେ ଉକ୍ତସ୍ଥାନକୁ ବେଶ୍‌ ସୁରକ୍ଷିତ ମଣୁଥିବାରୁ ବୋଧହୁଏ ସେ ସ୍ଥାନ ଛାଡ଼ିଯିବାକୁ ନାରାଜ। ଏଣୁ ବନବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।