Categories: ଜାତୀୟ

ଥରିଲା ମିଜୋରାମ: ଭୋର୍‌ ୪ଟାରେ ଆତଙ୍କିତ ହେଲେ ଲୋକେ

ଆଇଜଲ, ୨୨।୬: ମିଜୋରାମରେ ସୋମବାର ଭୋର୍‌ ସମୟରେ ଭୂକମ୍ପ ଅନୁଭୁତ ହୋଇଛି। ଭୋର୍‌ ୪ଟା ୧୦ ସମୟରେ ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଚମକାଇ ଜିଲାର ୨୦ କିଲୋମିଟର ଭୂଗର୍ଭ ତଳେ ଥିବା ଅନୁମାନ କରାଯାଉଛି। ଭୋର୍‌ ସମୟରେ ଘରେ ଶୋଇଥିବା ସମୟରେ ଭୂକମ୍ପ ହେବାରୁ ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ରାଜଧାନୀ ଆଇଜଲ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର କମ୍ପନ ଅନୁଭୂତ ହୋଇଥିଲା। ଜୋଖଥରସ୍ଥିତ ଚର୍ଚ୍ଚ ସମେତ ଚମ୍ଫାଇ ଜିଲାର ବହୁ ଘର ଓ ବିଲ୍ଡିଂ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ କରାଯାଇନାହିଁ। ସୂଚନାଯୋଗ୍ୟ, ଜୁନ ୨୧ ଅପରାହ୍ନ ୪ଟା ୧୬ରେ ମଧ୍ୟ ଆସାମ, ମେଘାଳୟ, ମଣିପୁର, ମିଜୋରାମରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିଲା।

Share