Categories: ଖେଳ

ଥାଇଲାଣ୍ଡ ମହିଳା କ୍ରିକେଟ ଦଳର ବିଶ୍ୱରେକର୍ଡ

ଦୁବାଇ, ୧୧।୮(ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟରେ ବିଶେଷ ଜଣାଶୁଣା ନ ଥିବା ଥାଇଲାଣ୍ଡ ମହିଳା କ୍ରିକେଟ ଦଳ ଏକ ବିଶ୍ୱରେକର୍ଡର ଅଧିକାରୀ ହୋଇଛି। କ୍ରମାଗତ ୧୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଜିତି ଥାଇଲାଣ୍ଡ ଦଳ ଏହି ସଫଳତା ଅର୍ଜନ କରିଛି। ନେଦରଲାଣ୍ଡ୍ସରେ ଚାଲିଥିବା ୪ ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଥାଇଲାଣ୍ଡ ଶନିବାର ୮ ଉଇକେଟରେ ଘରୋଇ ଦଳକୁ ପରାସ୍ତ କରିଛି। ନେଦରଲାଣ୍ଡ୍ସ ଇନିଂସକୁ ୫୪ ରନରେ ସୀମିତ ରଖିଥିବା ଥାଇଲାଣ୍ଡ ୮ ଓଭରରେ ମାତ୍ର ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟର ଅନ୍ୟ ଦୁଇ ଦଳ ହେଲେ ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡ। ପୂର୍ବରୁ ଟି୨୦ ଅନ୍ତର୍ଜାତୀୟରେ କ୍ରମାଗତ ସର୍ବାଧିକ ମ୍ୟାଚ ଜିତିବା ରେକର୍ଡ ଅଷ୍ଟ୍ରେଲିଆ ନାମରେ ଥିଲା। ୨୦୧୪ ମାର୍ଚ୍ଚରୁ ୨୦୧୫ ଅଗଷ୍ଟ ମଧ୍ୟରେ ଏହି ଦଳ ସର୍ବାଧିକ ୧୬ଟି ମ୍ୟାଚ ଜିତି ପାରିଥିଲା। ଅନ୍ୟ ୩ଟି ଦଳ କ୍ରମାଗତ ୧୦ରୁ ଊର୍ଦ୍ଧ୍ୱ ମ୍ୟାଚ ଲଗାତର ଜିତିଛନ୍ତି। ଇଂଲଣ୍ଡ ଓ ଜିମ୍ବାଓ୍ବେ ୧୪ଟି ଲେଖାଏ ଏବଂ ନ୍ୟୁଜିଲାଣ୍ଡ ୧୨ଟି ମ୍ୟାଚ ଜିତିଛି। ୨୦୧୮ରୁ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ମଧ୍ୟ କ୍ରମାଗତ ୧୨ଟି ମ୍ୟାଚ ଜିତି ସାରିଛି। ଆଇସିସି ବିଶ୍ୱ ଟି୨୦ ବିଶ୍ୱକପ ଅବସରରେ ଏହି ଦଳର ବିଜୟଧାରା ଆଗକୁ ବଢ଼ିବା ସମ୍ଭାବନା ରହିଛି। ସେହିପରି କ୍ରମାଗତ ୧୪ ମ୍ୟାଚ ଜିତିସାରିଥିବାରୁ ଜିମ୍ବାଓ୍ବେ ନିକଟରେ ମଧ୍ୟ ଥାଇଲାଣ୍ଡ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି। ୨୦୧୮ ଜୁଲାଇରୁ ଥାଇଲାଣ୍ଡର ବିଜୟ ଧାରା ଆରମ୍ଭ ହୋଇଛି। ସେତେବେଳେ ଏହି ଦଳ ୟୁନାଇଟେଡ ଆରବ ଏମିରେଟ୍ସକୁ ୭ ଉଇକେଟରେ ପରାସ୍ତ କରିଥିଲା। କ୍ରମାଗତ ବିଜୟରେ ବିଶ୍ୱରେକର୍ଡ ପଥରେ ଥାଇଲାଣ୍ଡ ସର୍ବାଧିକ ୟୁଏଇକୁ ୩ ଥର ପରାସ୍ତ କରିଛି।

Share