Categories: ଫୁରସତ

ଥାଇଲ୍ୟାଣ୍ଡର ନିଆରା ସଂଗୀତ ପ୍ରତିଯୋଗିତା: ୩ ଦେଶରୁ ଗୀତ ଗାଇବାକୁ ଆସିଛନ୍ତି ପକ୍ଷୀ, ମିଳିବ ଦେଢ଼ ଲକ୍ଷ ପୁରସ୍କାର

ସଂଗୀତ ପ୍ରତିଯୋଗିତା ବିଷୟରେ ସମସ୍ତେ ଶୁଣିଛନ୍ତି ଏବଂ ଦେଖିଛନ୍ତି ମଧ୍ୟ। ଦକ୍ଷ ପ୍ରତିଯୋଗୀମାନେ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇ ନିଜ କଳାର ପ୍ରଦର୍ଶନ କରିଥାନ୍ତି। ଏମିତି ଏକ ପ୍ରତିଯୋଗିତା ଏବେ ଥାଇଲ୍ୟାଣ୍ଡର ନାରଥିଓ୍ବାଟରେ ଚାଲିଛି। ମାତ୍ର ତାହା ଲୋକଙ୍କ ମଧ୍ୟରେ ନୁହେଁ ବରଂ ପକ୍ଷୀଙ୍କ ମଧ୍ୟରେ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ପ୍ରତିଯୋଗିତାରେ ପକ୍ଷୀମାନେ ଗୀତ ଗାଇଥାନ୍ତି। ପକ୍ଷୀଙ୍କ ବୁଦ୍ଧିମତା ଏବଂ ଗୀତ ଆଧାରରେ ସେମାନଙ୍କୁ ମାର୍କ ଦିଆଯାଇଥାଏ। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଥାଇଲ୍ୟାଣ୍ଡ ସମେତ ସିଙ୍ଗାପୁର, ମାଲେଶିୟାର ୧୮ଶହରୁ ଊର୍ଦ୍ଧ୍ୱ ପକ୍ଷୀ ଅଂଶ ଗ୍ରହଣ କରିଛନ୍ତି।


ପ୍ରତିଯୋଗିତାର ନିୟମ ଅନୁସାରେ, ବୁଲ୍‌ବୁଲ୍‌, ଶୁଆ, ପାରା ଏବଂ ଅନ୍ୟ ଛୋଟ ପକ୍ଷୀମାନେ ଏଥିରେ ଭାଗ ନେଇଥାନ୍ତି। ଏହା ୪ ରାଉଣ୍ଡ ବିଶିଷ୍ଟ ହୋଇଥାଏ। ପ୍ରତି ରାଉଣ୍ଡରେ ପକ୍ଷୀଙ୍କୁ ଅତି କମ୍‌ରେ ୩ଥର ୨୩ ସେକେଣ୍ଡର ଗୀତ ଗାଇବାକୁ ପଡ଼ିଥାଏ। ପ୍ରଥମେ ପକ୍ଷୀଙ୍କୁ ୧୫ ଫୁଟ ଉଚ୍ଚ ଏକ ଖୁଣ୍ଟରେ ପଞ୍ଜୁରୀରେ ପୁରାଇ ଝୁଲାଯାଇଥାଏ। ଥର ଥର କରି ସେମାନଙ୍କୁ ପଞ୍ଜୁରୀରୁ ବାହାରି ଗୀତ ଗାଇବାକୁ କୁହାଯାଇଥାଏ। ଜଜ୍‌ ପକ୍ଷୀଙ୍କ ଗୀତ ଶୁଣି ସେମାନଙ୍କୁ ମାର୍କ ଦେଇଥାନ୍ତି। ଯେଉଁ ପକ୍ଷୀକୁ ସବୁଠାରୁ ଅଧିକ ମାର୍କ ମିଳେ ସେ ବିଜେତା ଘୋଷିତ ହୁଏ। ୪ ମାସର ପ୍ରଶିକ୍ଷଣ ପରେ ପକ୍ଷୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ଗତ ବର୍ଷ ବିଜେତାକୁ ୭୦ ହଜାର ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ବିଜେତା ପକ୍ଷୀକୁ ଦେଢ଼ ଲକ୍ଷ ଟଙ୍କା ପୁରସ୍କାର ରୂପେ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଗତ ବର୍ଷ ମଧ୍ୟ ଥାଇଲ୍ୟାଣ୍ଡରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

Share