ଥାନାକୁ ମିଳିବ ଟଙ୍କା: ୫୮୭ ଥାନା ପାଇଁ ୧୭.୫ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ଥାନାରେ ଜନସାଧାରଣ କିପରି ସେବା ପାଉଛନ୍ତି ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସମ୍ପର୍କରେ ନିୟମିତ ଜନସାଧାରଣଙ୍କ ମତାମତ ନେଉଛନ୍ତି। ଥାନାଗୁଡିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେଇପାରିବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ଫଣ୍ଡ ମଞ୍ଜୁର କରିଛନ୍ତି।
ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍‌ରେ ଥିବା ସମସ୍ତ ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଲେଖାଏ ଘୋଷଣା କରିଥିବା ବେଳେ ୧୪୨ଟି ସହରାଞ୍ଚଳ ଥାନା ପାଇଁ ମାସିକ ୩୦ ହଜାର ଏବଂ ୩୫୧ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି। ସେହିପରି ୪ ମହିଳା ଥାନା, ୫ ଟ୍ରାଫିକ ଥାନା, ୧୫ ରେଲଓ୍ବେ ଥାନା, ୪ ସାଇବର ଥାନା, ଗୋଟିଏ ଅର୍ଥନୈତିକ ଅପରାଧ ଥାନା, ଗୋଟିଏ ଏସ୍‌ଟିଏଫ୍‌ ଥାନା, ଗୋଟିଏ ଏଚ୍‌ଆର୍‌ପିସି ଥାନା, ଗୋଟିଏ କ୍ରାଇମ୍‌ ବ୍ରାଞ୍ଚ ଥାନା ନିମେନ୍ତ ପ୍ରତ୍ୟେକଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି। ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏ ମଞ୍ଜୁର ହୋଇଛି।

Share