ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା: ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ସାଧାରଣ ଜନତା, ସରକାରୀ ଅଧିକାରୀଙ୍କ ଉପରେ ନେଇପାରିବେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନାର ମୁକାବିଲା ଲାଗି ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ସଚେତନତା ସତ୍ତ୍ୱେ ଅନେକେ ଏହାକୁ ଉଲ୍ଲଂଘନ କରୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ଥାନାଧିକାରୀଙ୍କୁ ଅଧିକ କ୍ଷମତା ଦିଆଯାଇଛି। ଶୁକ୍ରବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆଇପିସି-୧୮୮ ଧାରା ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରାଯାଇଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ଏନେଇ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ୧୮୮ ଧାରାରେ ଥାନାଧିକାରୀମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି। ଏହି ଆଇନ୍‌ ଅନୁସାରେ ଓଡ଼ିଶାରେ ସାଧାରଣ ଜନତାଙ୍କ ସହ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ହେବ। ଏହାଛଡ଼ା କର୍ତ୍ତବ୍ୟରେ ଅବହେଳା ଏବଂ ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କଲେ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତୁରନ୍ତ ଏହି ନିର୍ଦ୍ଦେଶ ଲାଗୁ କରିବା ସହ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Share