ଥାନାରୁ ଅଭିଯୁକ୍ତ ଫେରାର

ନବରଙ୍ଗପୁର/ପାପଡାହାଣ୍ଡି,୧୩।୧୧(ବି.ପ୍ର./ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ଅଭିଯୁକ୍ତ ପରିସ୍ରା ଯିବା ବାହାନାରେ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଧୀନ ପଠାନଗୁଡା ଗାଁର ଅରୁଣ ହରିଜନ। ଅକ୍ଟୋବର ୫ ତାରିଖରେ ଜେଲରୁ ସେ ଜାମିନରେ ଆସିଛନ୍ତି। ଏକ ଲୁଟ ଘଟଣାରେ ଅରୁଣଙ୍କୁ ରବିବାର ନବରଙ୍ଗପୁର ପୋଲିସ ଗିରଫ କରିଥିଲା । ଯେ ହେତୁ ପାପଡାହାଣ୍ଡି ଥାନାରେ ଅରୁଣଙ୍କ ନାମରେ ପୂର୍ବରୁ ମାମଲା ରହିଛି ତେଣୁ ତାଙ୍କୁୁ ପାପଡାହାଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲା । ମଙ୍ଗଳବାର ରାତି ପ୍ରାୟ ୨ ଟା ସମୟରେ ପରିସ୍ରା ଯିବାକୁ କହି ଅରୁଣ ବାହାରକୁ ଆସି ଫେରାର ହୋଇଯାଇଥିଲେ । ଅରୁଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ଆଇଆଇସି ଲିମରାଜ ପ୍ରଧାନ କହିଛନ୍ତି। ପାପଡାହାଣ୍ଡି, ତାରାଗାଁ ଓ ସିଂଗସାରି ଥାନାରେ ଅରୁଣଙ୍କ ନାମରେ ପୂର୍ବରୁ ମାମଲା ରହିଛି । ପାପଡାହାଣ୍ଡି ଥାନାରେ ଶୌଚାଳୟ ସୁବିଧା ନ ଥିବାରୁ ଅଭିଯୁକ୍ତଙ୍କୁ କର୍ମଚାରୀମାନେ ବାହାରକୁ ନେବାକୁ ବାଧ୍ୟ ହେଉଛନ୍ତି । ଡାକ ବଙ୍ଗଳା ନିକଟରେ ନୂତନ ଥାନା ନିର୍ମାଣ ହୋଇଥିବା ସତ୍ତ୍ୱେ ସ୍ଥାନାନ୍ତରଣ କରାନଯାଇ ପୁରୁଣା ଥାନାରେ ହିଁ କାର୍ଯ୍ୟ କରାଯାଉଛି । ଅସରାଏ ବର୍ଷାରେ ଥାନା ଭିତରେ ପାଣି ଗଳୁଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

Share